ମାଲବାହୀ ଲାଇନ୍‌ଚ୍ୟୁତ, ଏକାଧିକ ଟ୍ରେନ୍‌ ବାତିଲ

ନନ୍ଦପୁର,୧୯ା୧୦(ତୁଷାରକାନ୍ତ ମହାନ୍ତି): ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସଂଯୋଗ କରୁଥିବା (ବିଶାଖାପାଟଣା-କିରାଣ୍ଡୁଳ) କେକେ ରେଳପଥରେ ଅଘଟଣ ହୋଇଛି। ଶନିବାର ବିଳମ୍ବିତ ରାତିରେ ରେଳପଥର (ଆନ୍ଧ୍ର) ଚିମିଡିପାଲି ଓ ଟାୟାଡା ଷ୍ଟେଶନ ମଧ୍ୟ ରେଳପଥ ଉପରେ ଖସି ପଡ଼ିଥିବା ଏକ ବିରାଟ ପଥର ସହ ଧକ୍କା ହୋଇ ମାଲବାହୀ ୪୧୨୦୪ର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳରେ ରେଳପଥରେ ରେଳ ଯାତାୟାତକୁ ରେଳ ବିଭାଗ ତରଫରୁ ବାରଣ କରାଯାଇଛି। ଲାଇନଚ୍ୟୁତ ମାଲଗାଡ଼ିର ସମସ୍ତ ବଗି ଓ ଇଞ୍ଜିନକୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯିବାକୁ ଥିବାରେ ଏହି ରେଳପଥରେ ୧୯ ତାରିଖ ରବିବାର ଯାତାୟାତ କରିବାକୁ ଥିବା ଏକାଧିକ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରାଯାଇଛି। ବିଶାଖାପାଟଣା-କିରାଣ୍ଡୁଳ ଯାତ୍ରୀବାହୀ ଟ୍ରେନ୍‌ ନଂ ୫୮୫୦୧ ବାତିଲ କରାଯାଇଥିବା ବେଳେ କିରାଣ୍ଡୁଳ-ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନ୍‌ ୫୮୫୦୨ କୁ କୋରାପୁଟରୁ କିରାଣ୍ଡୁଳ ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଶାଖାପାଟଣା ରେଳ ଡିଭିଜନ (କୋରାପୁଟ) ଚିଫ୍‌ ଟ୍ରାନ୍ସପୋର୍ଟ ନିରୀକ୍ଷକ ପି.ନାରାୟଣ ରାଓ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତି ଯୋଗୁ ରେଳଯାତ୍ରୀଙ୍କ ନିମନ୍ତେ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ରେଳ ବିଭାଗ ତରଫରୁ ଦୁଃଖ ପ୍ରକାଶ କରାଯାଇ ସହଯୋଗ କାମନା କରାଯାଇଛି।

Dharitri – The Largest & Most Trusted Odia Daily