ଗାଡ଼ି ଚାଲାଣ ଫାଇନ୍ ଅଧା: ୫୦% କୋହଳ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୦।୧୦: ରାଜ୍ୟ ସରକାର ଚାଲାଣ ଜରିମାନାରେ ୫୦ ପ୍ରତିଶତ କୋହଳ ଘୋଷଣା କରି ଗାଡ଼ି ଚାଳକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଚାଲାଣ କଟିଥିବା ବ୍ୟକ୍ତିମାନେ ଜରିମାନାର ଅଧା ଅର୍ଥାତ୍ ୫୦% ପରିମାଣ ଦେଇ ମୁକୁଳି ପାଇବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବିନା ବୈଧ ଲାଇସେନ୍ସ କିମ୍ବା ଅତିରିକ୍ତ ଯାତ୍ରୀ ନେଇ ଗାଡ଼ି ଚଳାଇବା କାରଣରୁ ୫,୦୦୦ ଟଙ୍କା ଚାଲାଣ ହୋଇଥିଲେ ୨,୫୦୦ ଟଙ୍କା, ସିଟ୍‌ ବେଲ୍ଟ ବିନା ଯାତ୍ରା କିମ୍ବା ବାଇକରେ ଅଧିକ ଯାତ୍ରୀ ନେବା କାରଣରୁ ୧,୦୦୦ ଟଙ୍କା ଚାଲାଣ ହୋଇଥିଲେ ୫୦୦ ଟଙ୍କା, ଏବଂ ବିନା ହେଲମେଟରେ ଗାଡ଼ି ଚଳାଇବା କାରଣରୁ ୧,୦୦୦ ଟଙ୍କା ଚାଲାଣ ହୋଇଥିଲେ ୫୦୦ ଟଙ୍କା ଦେବାକୁ ହେବ।

ଏହାସହ, ଜରୁରୀ କାଳୀନ ଗାଡ଼ିକୁ ରାସ୍ତା ନ ଦେବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ ୫,୦୦୦ ଟଙ୍କା, ଏବଂ ବିନା ବୀମାରେ ଗାଡ଼ି ଚଳାଇବା କାରଣରୁ ୨,୦୦୦ ଟଙ୍କା ଜରିମାନା ହୋଇଥିଲେ ୧,୦୦୦ ଟଙ୍କା ପୌଠ କରିବାକୁ ହେବ। ଏହି କୋହଳ ନିଷ୍ପତ୍ତି ଚାଲାଣ ପୀଡ଼ିତଙ୍କ ପାଇଁ ବଡ଼ ରିହାତି ଆଣିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

Share