ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା ଖେଳଣା ବିସ୍ଫୋରଣ ହେବାରୁ ଶଗଡ଼ ଘାଟ ଗ୍ରାମରେ ଜଣେ ନାବାଳକଙ୍କର ଆଖି ନଷ୍ଟ ହୋଇଯାଇଥିବା ଘଟଣା ଦେଖିବାକୁ ମିଳିଛି । ବରଗଡ଼ ଓ ସମ୍ବଲପୁର ଜିଲାରେ ଏକ କମ୍ପାନୀ ପକ୍ଷରୁ ଚିପ୍ସ ତିଆରି କରାଯାଇ ପିଲାଙ୍କୁ ଆକର୍ଷିତ କରିବା ପାଇଁ ପ୍ୟାକେଟରେ ଖେଳଣା ଦିଆଯାଉଛି । କମ୍ପାନୀ ପକ୍ଷରୁ ଚିପ୍ସ ମୂଲ୍ୟ ମାତ୍ର ୫ ଟଙ୍କା ରଖାଯାଇ ବିକ୍ରି କରାଯାଉଅଛି । ଏହି କ୍ରମରେ ଶଗଡ଼ଘାଟ ଗ୍ରାମର ଏକ ଦୋକାନରେ ଉକ୍ତ ଚିପ୍ସ ପ୍ୟାକେଟ ବିକ୍ରି ହେଉଛି। ରବିବାର ଲବ ହରପାଳଙ୍କ ପୁଅ ଅଙ୍କେଶ ହରପାଳ(୮) ଉକ୍ତ ଦୋକାନକୁ ଯାଇ ଚିପ୍ସ ପ୍ୟାକେଟ କିଣିଆଣି ଘରେ ଖାଇବା ସହ ସେଥିରେ ଥିବା ଖେଳଣାକୁ ନିଆଁରେ ପକାଇ ଦେଇଥିଲେ। ହେଲେ ଖେଳଣାଟି ହଠାତ୍ ବିସ୍ଫୋରଣ ଘଟିବାରୁ ଅଙ୍କେଶଙ୍କ ଆଖିରେ ଆଘାତ ଲାଗିଥିଲା । ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସାଲାଗି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବାବେଳେ ତାଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି। ଏନେଇ ଅଙ୍କେଶଙ୍କ ମା’ ଓ ବାପା ସୋମବାର ଟିଟିଲାଗଡ଼ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ଏଥିସହ ସମ୍ପୃକ୍ତ କୁରକୁରେ କମ୍ପାନୀ ବନ୍ଦ କରିବା ସହ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।