ମାନ୍ଦାବସ୍ଥା ଆଡ଼କୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନେକ ଅଚାନକ ନିଷ୍ପତ୍ତି ଓ ନିଆଁରେ ଘିଅ ଢାଳିଲା ଭଳି ତାଙ୍କ ବ୍ୟବସାୟିକ ବନ୍ଧୁ ଏଲନ୍‌ ମସ୍କଙ୍କ ପରାମର୍ଶ କେବଳ ସେହି ଦେଶ ନୁହେଁ, ବିଶ୍ୱବ୍ୟାପୀ ମୁଣ୍ଡବିନ୍ଧା ଆରମ୍ଭ କରିଦେଇଛି। ଅପେକ୍ଷାକୃତ ଦୁର୍ବଳ ଥିବା ଜୋ ବାଇଡେନଙ୍କ ପ୍ରଶାସନ ପ୍ରତି ବିମୁଖ ହୋଇ ଟ୍ରମ୍ପ୍‌ଙ୍କ ‘ଅମେରିକା ଆଗ’ ସ୍ଲୋଗାନରେ ଭାସି ଭୋଟର ଯେଉଁ ରାଜନୈତିକ ପରିବର୍ତ୍ତନ ଆଣିଥିଲେ ତାହା ଏବେ ଆମେରିକାବାସୀଙ୍କୁ ଅର୍ଥନୈତିକ ଖାଲରେ ପକାଇଲା ଭଳି ଲାଗୁଛି। ଟ୍ରମ୍ପ୍‌ଙ୍କ ଗୋଟେ ପରେ ଗୋଟେ ନିଷ୍ପତ୍ତି ମସ୍କଙ୍କ ଭଳି ବିଲିୟନେୟାର ବା କୋଟିପତିଙ୍କୁ ସୁହାଉଛି ବୋଲି ହୃଦୟଙ୍ଗମ କରିବା ପରେ ଆମେରିକାରେ ଘୋର ଅଶାନ୍ତି ଦେଖାଦେଇଛି। ୫ ଏପ୍ରିଲରେ ସେମାନେ ଟ୍ରମ୍ପ୍‌ ଓ ମସ୍କଙ୍କ ବିରୋଧରେ ୫୦ ରାଜ୍ୟରେ ‘ହ୍ୟାଣ୍ଡ୍‌ସ ଅଫ୍‌’ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। କୋଟିପତିମାନେ ପ୍ରଶାସନକୁ କବ୍‌ଜା କରିବା, ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଲାଗି ଥିବା ପାଣ୍ଠିକୁ ହ୍ରାସ କରାଯାଉଥିବା ଏବଂ ଅପ୍ରବାସୀ ଓ ଅନ୍ୟାନ୍ୟ ସମ୍ପଦାୟ ପ୍ରତି ହେଉଥିବା ଆକ୍ରୋଶ ବିରୋଧରେ ଆନ୍ଦୋଳନ ତେଜିବା ଦେଖିବାକୁ ମିଳିଛି।
ସବୁଠାରୁ ଧନୀ ଦେଶ ଭାବେ ବିବେଚିତ ହୋଇଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଧନୀ ଲୋକଙ୍କ ବିରୋଧରେ ସେଠାକାର ନାଗରିକ ରାସ୍ତାକୁ ଓହ୍ଲାଇ ସ୍ବର ଉତ୍ତୋଳନ କରିବେ ବୋଲି ସ୍ବପ୍ନରେ ମଧ୍ୟ ଦେଖାଯାଉ ନ ଥିଲା। କ୍ୟାପିଟାଲିଜମ୍‌ ବା ପୁଞ୍ଜିବାଦୀ ଅର୍ଥନୀତିର ପ୍ରବକ୍ତା ଭାବେ ଆମେରିକା ଉପରେ ମୁକ୍ତ ତଥା ଉଦାର ଜଗତର ରାଷ୍ଟ୍ରଗୁଡ଼ିକ ଢଳିପଡ଼ିଥିଲେ। ଏବେ ସମସ୍ତଙ୍କର ପରିସ୍ଥିତି ଜଟିଳ ହୋଇଯାଉଛି। ଏହା ନିଶ୍ଚିତ ଭାବେ କୁହାଯାଇପାରେ ଯେ ପୃଥିବୀର ଗଣତାନ୍ତ୍ରିକ ଦେଶଗୁଡ଼ିକରେ ପୂର୍ବେ ଯାହା କେବେ ଦେଖାଯାଉ ନ ଥିଲା, ତାହା ଏବେ ଟ୍ରମ୍ପ୍‌ କରି ଦେଖାଉଛନ୍ତି। ସାଧାରଣରେ ନିର୍ବାଚନ ଜିତିବା ପରେ ସବୁ ରାଜନୈତିକ ଦଳ ଓ ନେତୃବୃନ୍ଦ ସେମାନଙ୍କର ନୀତି ଓ ଭବିଷ୍ୟତର କାର୍ଯ୍ୟକଳାପ ନିର୍ଦ୍ଧାରଣ କରିଥାନ୍ତି। ଟ୍ରମ୍ପ୍‌ଙ୍କ ପଦକ୍ଷେପ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟାନ୍ତ ସୃଷ୍ଟି କଲା। ରାଷ୍ଟ୍ରପତି ଭାବେ ଶପଥ ନେବାର ୭୨ ଘଣ୍ଟା ମଧ୍ୟରେ ପ୍ରାୟ ୪୭ ଏକ୍‌ଜିକ୍ୟୁଟିଭ୍‌ ନିର୍ଦ୍ଦେଶରେ ଚାରିବର୍ଷିଆ ଶାସନକୁ ଜନ୍ମ ଦେଇଥିଲେ ଟ୍ରମ୍ପ୍‌। ତନ୍ମଧ୍ୟରୁ ଅନେକ ଦେଶର ସାମଗ୍ରୀ ଉପରେ ଟାରିଫ୍‌ ବା ଟିକସ ଲଗାଇବାର ପଦକ୍ଷେପ ଟ୍ରମ୍ପ୍‌ଙ୍କ ପରିଚୟ ପାଲଟିଯାଇଛି। ନିଜର ନିଅଣ୍ଟିଆ ବାଣିଜ୍ୟ କାରବାରକୁ ଭରିବା ଲାଗି ଟ୍ରମ୍ପ୍‌ ନୂଆ ଟାରିଫ୍‌ ଘୋଷଣା କରିବା ସହ ୨ ଏପ୍ରିଲକୁ ଲିବରେଶନ ଡେ’ ବା ମୁକ୍ତି ଦିବସ ବୋଲି ଅଭିହିତ କରିଛନ୍ତି। କିନ୍ତୁ ଯେଉଁଭଳି ଭାବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି, ତାହା ରିସେଶନ ଡେ’ ବା ମାନ୍ଦାବସ୍ଥା ଦିବସ ଭାବେ ଇତିହାସରେ ରହିଯିବ ବୋଲି ବିଶ୍ୱର କେତେକ ଅର୍ଥନୀତିଜ୍ଞ ଅନୁମାନ କଲେଣି। ଭାରତ, କାନାଡ଼ା, ଚାଇନା ଉପରେ ଟ୍ରମ୍ପ୍‌ ରେସିପ୍ରୋକାଲ ଟାରିଫ୍‌ ବା ପାଲଟା ଶୁଳ୍କ ବସାଇ ସାରିଥିବା ବେଳେ ୯ ଏପ୍ରିଲରେ ୫୭ ଦେଶ ଆହୁରି ଅଧିକ ପାଲଟା ଶୁଳ୍କର ସମ୍ମୁଖୀନ ହେବେ। ପ୍ରତିକ୍ରିୟା ସ୍ବରୂପ କାନାଡ଼ା, ଚାଇନା ଭଳି ରାଷ୍ଟ୍ର ମଧ୍ୟ ଆମେରିକା ବିରୋଧରେ ସମାନ ଧରଣର ଅର୍ଥନୈତିକ ବ୍ୟବହାର ଦେଖାଇଲେଣି। ହେଲେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି କେଉଁ ପ୍ରକାର ସାମଗ୍ରୀ ଆମେରିକାକୁ ଭାରତରୁ ରପ୍ତାନି ହୋଇଥାଏ। ସାଧାରଣତଃ ଖାଦ୍ୟ ପଦାର୍ଥ, ପୋଷାକ, ଔଷଧୀୟ ପଦାର୍ଥ, ହୀରା ଓ ମୁକ୍ତା ଭଳି ଦାମିକିଆ ଧାତୁ, ମୋଟର ଯନ୍ତ୍ରାଂଶ ଭାରତରୁ ଆମେରିକାକୁ ରପ୍ତାନି ହୋଇଥାଏ। ସେସବୁର ଉପଭୋକ୍ତା ମୁଖ୍ୟତଃ ପ୍ରବାସୀ ଭାରତୀୟ ହୋଇଥିବାରୁ ଆମ ଦେଶର ରପ୍ତାନି ସାମଗ୍ରୀ ଆମେରିକାର ଅର୍ଥନୀତି ଉପରେ ସେଭଳି କୌଣସି ଗୁରୁତ୍ୱ ରଖେନାହିଁ। ଅପରପକ୍ଷରେ ତାଇଓ୍ବାନ ଭଳି କ୍ଷୁଦ୍ର ଦେଶରେ ପ୍ରସ୍ତୁତ ହେଉଥିବା ଚିପ୍ସର ଚାହିଦା ଆମେରିକା ବଜାରରେ ଅନେକ ଗୁରୁତ୍ୱ ରଖେ। ଏଭଳି ସ୍ଥଳେ ଭାରତ ଟ୍ରମ୍ପ୍‌ଙ୍କୁ ତୁଷ୍ଟ କରିବା ଲାଗି ଉପାୟ ଖୋଜୁଥିବା କୁହାଯାଉଛି। ବିଶେଷକରି ଭାରତୀୟ ଗଣମାଧ୍ୟମରେ ପ୍ରଚାର କରାଯାଉଛି ଯେ ଭାରତ ଓ ଆମେରିକା ସମ୍ପର୍କ ଭଲ ରହିଥିବାରୁ ଆଗକୁ ଟ୍ରମ୍ପ୍‌ କୋହଳ ମନୋଭାବ ପ୍ରଦର୍ଶନ କରିପାରନ୍ତି। କିନ୍ତୁ ସମସ୍ତେ ଜାଣିଛନ୍ତି ଯେ ଟ୍ରମ୍ପ୍‌ ଜଣେ ଏକଜିଦିଆ ମଣିଷ। ତାଙ୍କୁ ସହଜରେ ଝୁଙ୍କେଇ ହେବ ନାହିଁ ଏବଂ ବ୍ୟକ୍ତିଗତ ସମ୍ପର୍କ ତାଙ୍କ ସହିତ ସ୍ଥାପନ କରିବା ଏକପ୍ରକାର ଅସମ୍ଭବ। ଏହାର ପ୍ରମାଣ ମିଳିଥିଲା ଯେତେବେଳେ ଟ୍ରମ୍ପ୍‌ଙ୍କ ଶପଥଗ୍ରହଣ ଉତ୍ସବ ଲାଗି ଭାରତର କୌଣସି ମୁଖ୍ୟ ବ୍ୟକ୍ତିଙ୍କୁ ଡକାଯାଇ ନ ଥିଲା।
ଆମେରିକା ଯୋଗୁ ଭବିଷ୍ୟତରେ ବିଶ୍ୱ ମାନ୍ଦାବସ୍ଥା ସ୍ଥିତି ସୃଷ୍ଟି ହେଲେ ତାହାକୁ ପ୍ରତିହତ କରିବା ଲାଗି ଏବେଠୁ ଭାରତ ପ୍ରସ୍ତୁତ ହେବା ଦରକାର। ଇତିମଧ୍ୟରେ ଆମେରିକା ପ୍ରତି ଚାଇନା ତା’ର କଠୋର ମନୋଭାବ ପ୍ରଦର୍ଶନ କରି ପ୍ରାୟ ୩୪ ପ୍ରତିଶତ ପାଲଟା ଶୁଳ୍କ କଷି ଦେଲାଣି। ବିଶ୍ୱ ବଜାରକୁ ଦେଖିଲେ ଚାଇନାର ସାମଗ୍ରୀ ଛାଇ ହୋଇ ରହିଛି। କେଉଁ ଦେଶର ବଜାରକୁ କିଭଳି ଦ୍ରବ୍ୟ ଯୋଗାଇ ଲାଭ ଉଠାଇ ହେବ ତାହାର କୌଶଳ ଚାଇନାକୁ ଭଲ ଭାବେ ଜଣା। ସେଠାକାର ଘରେ ଘରେ ଲୋକେ ସାମଗ୍ରୀ ପ୍ରସ୍ତୁତ କରିବାକୁ ନିଜର ପ୍ରାରମ୍ଭିକ କର୍ତ୍ତବ୍ୟ ଭାବେ ଧରି ନେଇଛନ୍ତି। ହେଲେ ଭାରତରେ ସେହି ବାତାବରଣ ସୃଷ୍ଟି କରାଯାଇପାରୁ ନାହିଁ। ସ୍ବାଧୀନତା ସମୟରେ ମହାତ୍ମା ଗାନ୍ଧୀ କୁଟୀର ଶିଳ୍ପ ଓ ଗ୍ରମୋଦ୍ୟୋଗ ଉପରେ ଗୁରୁତ୍ୱ ଦେଇଥିଲେ। ତାହାକୁ ଭାରତ କୌଣସି ଭାବେ ଅନୁସରଣ କଲାନାହିଁ। ଅପରପକ୍ଷରେ ସାଂସ୍କୃତିକ ବିପ୍ଳବ ମାଧ୍ୟମରେ ଚାଇନାର ମାଓ ସେ-ତୁଙ୍ଗ୍‌ ତାହାକୁ ଅବିକଳ ନକଲ କରି ଆଜିର ଚାଇନା ଗଢ଼ିଥିବା ବେଳେ ଆମ ଦେଶରେ ଏବେ ମଧ୍ୟ ବୃହତ୍‌ ଶିଳ୍ପପତିମାନେ ଶାସକଙ୍କ କୋଳରେ ବସୁଛନ୍ତି। ସେଥିପାଇଁ ଫିତା କାଟିବା ଲାଗି ବ୍ୟବହୃତ କଇଁଚି, ପର୍ବପର୍ବାଣିରେ ବ୍ୟବହୃତ ଲିଚୁ ଲାଇଟ୍‌, ରାମଙ୍କ ମୂର୍ତ୍ତି ପାଇଁ ଚାଇନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଭାରତର ନୀତି କେବଳ ବଡ଼ ଶିଳ୍ପପତିଙ୍କୁ ସୁହାଇଲା ଭଳି ହେଉଛି। ସାଧାରଣ ଲୋକଟିଏ ସହଜରେ ବ୍ୟବସାୟିକ ଦୁନିଆକୁ ପ୍ରବେଶ କରିପାରୁ ନାହିଁ। ଆମେରିକାରେ ମସ୍କଙ୍କ ଭଳି ବ୍ୟକ୍ତିଙ୍କୁ ସୁହାଇଲା ଭଳି ଟ୍ରମ୍ପ୍‌ ପ୍ରଶାସନ ନିଷ୍ପତ୍ତି ନେଉଥିବାରୁ ସେଠାରେ ଅରାଜକତା ସୃଷ୍ଟି ହେଲାଣି। ସେଥିରୁ ଶିକ୍ଷା ପାଇ ଭାରତ ଭାବିବା ଦରକାର ଯେ ଅର୍ଥନୈତିକ ବିକାଶ ଆଣିବାକୁ ହେଲେ ଯେଉଁ ବର୍ଗ ବ୍ୟବସାୟିକ ଦୁନିଆକୁ ପ୍ରବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ବଡ଼ ଶିଳ୍ପପତିଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ସୁବିଧା ଦିଆଯିବା ଦରକାର। ୨୦୧୬ ବିମୁଦ୍ରୀକରଣ ବେଳୁ ଭାରତରେ ଅନେକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ଓ ଛୋଟିଆ ବ୍ୟବସାୟୀଙ୍କ ଅନ୍ତ ଘଟି ଯାଇଛି। ସେଥିପାଇଁ ଆଜି ବେକାରି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଆଗକୁ ମାନ୍ଦାବସ୍ଥା ଆସିବା ଥୟ ଭାବି ଭାରତର ନେତୃତ୍ୱ ଏବେଠାରୁ ଆର୍ଥିକ ନୀତିରେ ପରିବର୍ତ୍ତନ ଆଣିବା ଦରକାର। ସ୍ଥିତି ଦେଖି ପଦକ୍ଷେପ ନେବା ହେଉଛି ସମୟର ଆହ୍ବାନ। ଥରେ ଯଦି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଲଗାମବିହୀନ ହୋଇଯାଏ, ତାହାକୁ ପୁନର୍ଜୀବିତ କରିବା କଷ୍ଟକର। ସାମାନ୍ୟ ଲାଭ ହେଲେ ଭାରତୀୟ ଅଧିକ କଷ୍ଟ କରିବାକୁ ଚାହିଁ ନ ଥାଆନ୍ତି। ଏଭଳି ମାନସିକତାରେ ବଞ୍ଚୁଥିବା ଜାତିକୁ ଚିଆଁଇ ଦେବା ଲାଗି ସେମାନଙ୍କ ମନରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବାତାବରଣ ସୃଷ୍ଟି କରାଯିବା ଦରକାର। ସରକାର ରାଜନୈତିକ ଫାଇଦାକୁ ଆଖିଆଗରେ ରଖି କାର୍ଯ୍ୟ କରୁଥିବା ବେଳେ ଦେଶର ଆର୍ଥିକ ଦିଗକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri