ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟକୁ ଯାଇ ଅଧାବାଟରୁ ଫେରୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ବର୍ଷା ଦିନରେ ମଧ୍ୟ ଦୈନିକ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ କିଛି ପର୍ଯ୍ୟଟନକ୍ଷେତ୍ରକୁ ଯାତାୟାତ ରାସ୍ତାର ଦୁରବସ୍ଥା ଯୋଗୁ ପର୍ଯ୍ୟଟକ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ହେଲା ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତରେ ଥିବା ଲଭର୍ସ ପଏଣ୍ଟ। ଯେଉଁଠିକୁ ଶହଶହ ପର୍ଯ୍ୟଟକ ଆସି ବଣଭୋଜି କରି ମଜା ନିଅନ୍ତି।

ସେହିଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ୫୯ ନଂ ଜାତୀୟ ରାଜପଥର ଆଦିବାସୀ ଗ୍ରାମଠାରୁ ପ୍ରାୟ ୮ ଶହ ମିଟର ଦୂରତା କେବଳ ମାଟି ରାସ୍ତା ରହିଛି। ଉକ୍ତ ରାସ୍ତା ବର୍ଷାଦିନ ଆସିଲେ କର୍ଦ୍ଦମାକ୍ତ ହୋଇପଡୁଛି। ଫଳରେ ଲଭର୍ସ ପଏଣ୍ଟରେ ପହଞ୍ଚିବାକୁ ପର୍ଯ୍ୟଟକ ଚାରିଚକିଆ ଯାନରେ ଭିତରକୁ ଯାଇପାରୁନାହାନ୍ତି। ଶେଷରେ ନିରାଶ ହୋଇ ଫେରୁଛନ୍ତି। ଲଭର୍ସ ପଏଣ୍ଟକୁ ପସନ୍ଦ କରୁଥିବା ଓ ବାରମ୍ବାର ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଅସନ୍ତୋଷ ହେଉଥିବା ବେଳେ ପକ୍କା ରାସ୍ତା କରାଯିବା ପାଇଁ ଦାବି ହେଉଛି। କିଛି ପର୍ଯ୍ୟଟକ ରାଜପଥ ଉପରେ ନିଜ ଗାଡ଼ି ରଖି ୮ ଶହ ମିଟର ଚାଲିଚାଲି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ବରିଷ୍ଠ ନାଗରିକ ଓ ଶିଶୁ ପର୍ଯ୍ୟଟକ ବହୁ ହଇରାଣ ଭୋଗୁଥିବା ଜଣାପଡ଼ିଛି।

Share