ଶୌଚାଳୟ ଥାଇ ହଇରାଣ ହେଉଛନ୍ତି ପର୍ଯ୍ୟଟକ, ମିଳୁନି ଆବଶ୍ୟକ ସୁବିଧା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): ଏବେ ଆସିଯାଇଛି ପର୍ଯ୍ୟଟନ ଋତୁ। ଖାସ୍‌କରି ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରବିବାର ଛୁଟିଦିନ ଥିବାରୁ ଦାରିଙ୍ଗବାଡ଼ିରେ ସକାଳୁ ସକାଳୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ତେବେ ଆବଶ୍ୟକତାଠାରୁ ବହୁତ କମ୍‌ ଶୌଚାଳୟ ଓ ଆଉ କିଛି ଶୌଚାଳୟ ଅଚଳ ଯୋଗୁ ପର୍ଯ୍ୟଟକଙ୍କୁ ଲମ୍ବାଧାଡ଼ିରେ ଦେଖିବାକୁ ମିଳିଛି। ଏଭକି ଦୃଶ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ପଥପ୍ରାନ୍ତ ସେବାକେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି। ସେଠାରେ ମହିଳା ଏବଂ ପୁରୁଷଙ୍କ ପାଇଁ ୬ଟି ଶୌଚାଳୟ ରହିଥିବାବେଳେ ସେଥିମଧ୍ୟରୁ କିଛି ଅଚକ ହୋଇପଡ଼ିଛି। ଫଳରେ ପର୍ଯ୍ୟଟକ ଘଣ୍ଟାଘଣ୍ଟା ଧରି ଲମ୍ବାଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଛି।

ସେହିପରି ଉକ୍ତ ପଥପ୍ରାନ୍ତ ସେବାକୁ ମିଶନ ଶକ୍ତି ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଶୌଚାଳୟ ଓ ପଥପ୍ରାନ୍ତ ପରିସରକୁ ସଫେଇ କରିବା ପାଇଁ କୌଣସି କର୍ମଚାରୀ ନିୟୋଜିତ ହୋଇନାହାନ୍ତି। ଫଳରେ ଶୌଚାଳୟ ଗୁଡ଼ିକରେ ସ୍ବଚ୍ଛତା ରହୁନାହିଁ। ଏହାକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଥପ୍ରାନ୍ତ ସେବାକେନ୍ଦ୍ରରେ ପଥଚାରୀଙ୍କୁ ମାଗଣା ସୁବିଧା ଯୋଗାଇବାକୁ ନିୟମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ମାଗଣା ସେବା ମିଳୁ ନ ଥିବା ଭୁବନେଶ୍ୱର ପଟିଆ ଅଞ୍ଚଳର ପର୍ଯ୍ୟଟକ ସମରେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ପର୍ଯ୍ୟଟକ ଶୌଚାଳୟ ବ୍ୟବହାର କରିବାକୁ ଟିକେଟ୍‌ ଅର୍ଥ ଦେବାକୁ ପ୍ରସ୍ତୁତ କିନ୍ତୁ ଟିକେଟ୍‌ ବାବଦରେ ଅର୍ଥ ସଂଗ୍ରହ କରାଗଲେ ମଧ୍ୟ ସ୍ବଚ୍ଛତା ରହୁ ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦାରିଙ୍ଗବାଡ଼ିରେ ରହିଥିବା ସମସ୍ତ ଶୌଚାଳୟକୁ ନିୟମିତ ଖୋଲାଯିବା ସହ ମରାମତି ଆଦି କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏନେଇ ପଥପ୍ରାନ୍ତ ସେବାକେନ୍ଦ୍ରର ଦାୟିତ୍ୱ ନେଇଥିବା ମିଶନଶକ୍ତିର ସଦସ୍ୟା ରଶ୍ମିଦେବୀ ନାୟକ କହିଛନ୍ତି ଯେ, ଜିଲା ପର୍ଯ୍ୟଟନ ବିଭାଗ ଏହାର ଉନ୍ନତି କରିବ ଓ କର୍ମଚାରୀ ନିୟୋଜିତ କରିପାରେ ବୋଲି ସେ କହିବା ସହ ପଥପ୍ରାନ୍ତ ସେବାକେନ୍ଦ୍ର ପରିସର ମଧ୍ୟରେ ଆଉ ଅଧିକ ଶୌଚାଳୟ ନିର୍ମାଣ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଉକ୍ତ କେନ୍ଦ୍ର ପରିସରକୁ ଲକ୍ଷ୍ମୀବସ୍‌ ଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଉଛି। ଫଳରେ ପର୍ଯ୍ୟଟକ ନିଜ କାର୍‌ରେ ଆସିଲେ ସେମାନେ ପାର୍କିଂ କରିପାରୁ ନ ଥିବା ଅଭିଯୋଗ କରିଛନ୍ତି। ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ ଅନ୍ୟସ୍ଥାନରେ କରାଯିବାକୁ ସେ ଜିଲା ପର୍ଯ୍ୟଟକ ବିଭାଗକୁ ଜଣାଇଥିବା କହିଛନ୍ତି।

Dharitri – Odisha’s No.1 Trusted Odia Daily

Share