ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ ଓରଫ କଶା ସୋଡ଼ି ଗତ ୧୯୯୫ରେ ମାଓବାଦୀ ସଂଗଠନରେ ଯୋଗ ଦେଇ ଘରଛାଡ଼ି ପଳାଇ ଯାଇଥିଲେ। ସେହି ସମୟରେ ଶୁକ୍ରୁ ଯୁବାବସ୍ଥା ଥିବା ବେଳେ ସେ ନିଜ ମାତାପିତା ଓ ପରିବାରବର୍ଗଙ୍କୁ ଛାଡ଼ି କେକେବିଏନ୍ ଡିଭିଜନରେ ଯୋଗ ଦେଇଥିଲେ। ଦୀର୍ଘ ୩୦ ବର୍ଷ ଧରି କନ୍ଧମାଳ ଜିଲାରେ ରହି ଆତଙ୍କ ଖେଳାଇବା ସହ ସେ ରାଜ୍ୟ କମିଟିର ଜଣେ ବରିଷ୍ଠ ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। ଏଥିସହ ସେ ମାଓବାଦୀ ସଂଗଠନର ଜଣେ ମହିଳା ମାଓବାଦୀଙ୍କୁ ମଧ୍ୟ ବିବାହ କରି ଉଭୟ ସ୍ବାମୀ ସ୍ତ୍ରୀ ସକ୍ରିୟ ଥାଇ ସରକାରଙ୍କ ନିଦ ହଜାଇ ଦେଇଥିଲେ।
ସେହିଦିନ ଠାରୁ ବର୍ତ୍ତମାନ ସୁଦ୍ଧା ନିଜ ଗ୍ରାମକୁ ସେ ଫେରି ନ ଥିବା ବେଳେ ଇତିମଧ୍ୟରେ ଶୁକ୍ରୁଙ୍କ ମାତାପିତା ପୁଅକୁ ଝୁରିଝୁରି ଦେହତ୍ୟାଗ କରିଥିଲେ। ତେବେ ଶୁକ୍ରୁଙ୍କ ଠିକଣା ଜାଣି ନ ଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ଚିନ୍ତାଗ୍ରସ୍ତ ଥିଲେ। ଗତ ଜାନୁଆରୀ ମାସରେ ଶୁକ୍ରୁଙ୍କ ଠିକଣା ଓ ଫୋନ୍ ନମ୍ବର କୌଣସି ସୂତ୍ରରୁ ପାଇବା ପରେ ଶୁକ୍ରୁଙ୍କ ଖୁଡ଼ୀ ଉରେ ସୋଡ଼ି, ପୁତୁରା ଆଡମା ସୋଡ଼ି ଓ ଭଣଜା ତାଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରି ନିଜ ଗ୍ରାମକୁ ଫେରି ଆସିବା ପାଇଁ ଆକୁଳ ନିବେଦନ କରିଥିଲେ। ଗତକାଲି ଶୁକ୍ରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଖବର ପାଇ ଗ୍ରାମରେ ଆନନ୍ଦର ଲହରି ଖେଳିଯିବା ସହ ପରିବାର ଲୋକ ଖୁସିରେ ବିଭୋର ହୋଇଛନ୍ତି।
ବିଶେଷକରି ଶୁକ୍ରୁଙ୍କ ଖୁଡ଼ୀ ଲୁହ ଛଳଛଳ ଆଖିରେ ପ୍ରକାଶ କରିଛନ୍ତି ଯେ, ଦୀର୍ଘ ୩୦ ବର୍ଷ ପରେ ପୁତୁରା ଆତ୍ମସମର୍ପଣ କରିଥିବାରୁ ଆମେ ଖୁସିରେ ଥିଲେ ମଧ୍ୟ ଶୁକ୍ରୁ କେବେ ଆମ ଗାଁକୁ ଫେରି ଆସିବ ସେଥିପାଇଁ ଆମେ ଚାତକ ପରି ଅପେକ୍ଷା କରି ବସିଛୁ। ଦୀର୍ଘବର୍ଷ ପରେ ଭଗବାନ ଆମର ଗୁହାରି ଶୁଣିଛନ୍ତି କିନ୍ତୁ ଦୁଃଖ ଏତିକି ଶୁକ୍ରୁଙ୍କ ଅନୁପସ୍ଥିତିରେ ତାଙ୍କ ମାତାପିତା ଇହଧାମ ତ୍ୟାଗ କରିଥିବାରୁ ଶୁକ୍ରୁ ଆଉ ତାଙ୍କ ମାତାପିତାଙ୍କ ମୁହଁ ଦେଖିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉ କି, ୧୫ ବର୍ଷ ପୂର୍ବରୁ ମାଲକାନଗିରି ଥାନା ଅଞ୍ଚଳ ଟେକଗୁଡ଼ାର ଟପ ମାଓବାଦୀ ନେତା ଥିବା ସୁକଦେବ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିବା ପରେ ସେ ବତ୍ତମାନ ଚାଷ କାର୍ଯ୍ୟ କରି ଖୁସିରେ ପରିବାର ସହ ଥିବାବେଳେ ସୁକଦେବ ପ୍ରକାଶ କରିଛନ୍ତି ଯେ, ଶୁକ୍ରୁ ବହୁ ପୂର୍ବରୁ ଆତ୍ମସମର୍ପଣ କରିବାର ଥିଲା।