ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍ କ୍ୟାଡର ମାଓବାଦୀ ସୁଖରାମ ମରକମ୍ ଓରଫ ସୁରେଶ ଓରଫ ୟୋଗେସ୍ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ବନ୍ଧରେ ଆଜି ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଦେଇଥିବା ସୂଚନା ଅନୁଯାୟୀ, ୨୦୧୦ରେ ସୁଖରାମ ବାଲ୍ ସଂଗଠନରେ ପ୍ରଥମେ ଯୋଗ ଦେଇଥିଲେ। ପରେ ପରେ ସେ ୨୦୧୪ରେ ପାର୍ଟି ମେମ୍ବର ଭାବେ ଯୋଗ ଦେଇଥିବାବେଳେ ମାଲକାନଗିରି ଜିଲାର ବିଭିନ୍ନ ମାଓବାଦୀ ସଂଗଠନରେ ମଧ୍ୟ ଯୋଗ ଦେଇଥିଲେ। ଛତିଶଗଡ଼ର ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ହୋଇ ଗ୍ରାମବାସୀଙ୍କ ଉପରେ ଆକ୍ରମଣ, ପୋଲିସ ଉପରେ ଆକ୍ରମଣ, ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଲଗାଇ ବିସ୍ଫୋରଣ ଭଳି ଘଟଣାରେ ଜଡ଼ିତ ଥିଲେ। ତାଙ୍କ ନାମରେ ମାଲକାନଗିରି ଜିଲା ମାଥିଲି ଥାନା, ସହ ଛତିଶଗଡ଼ର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ତେବେ ବର୍ତ୍ତମାନ ମାଓବାଦୀ ସଂଗଠନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯିବା ସହ ଛତିଶଗଡ଼ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।
ଏଥିସହ ସେ ଆତ୍ମସମର୍ପଣ କରିବା ସମୟରେ ତାଙ୍କ ନିକଟରେ ଥିବା ଗୋଟିଏ ଏସ୍ଏଲଆର ରାଇଫଲ୍, ଗୋଟିଏ ଅଫୁଟା ଗୁଳି, ଦୁଇଟି ଆଇଡି, କଡେକ୍ସ ତାର ୧୦ ମିଟର, ବିଦ୍ୟୁତତାର ଗୋଟିଏ ବଣ୍ଡଲ, ଟର୍ଚ ଲାଇଟ, ମାଓବାଦୀ ପୋଷାକ, କପଡ଼ା, ଔଷଧ, ମାଓବାଦୀ ପୁସ୍ତିକା ଇତ୍ୟାଦି ପୋଲିସ ନିକଟରେ ସମର୍ପଣ କରିଛନ୍ତି। ବର୍ତ୍ତମାନ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନଯାପନ କରିବା ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି। ତେବେ ତାଙ୍କ ଉପରେ ସରକାରଙ୍କ ତରଫରୁ ୨୧ ଲକ୍ଷ ଟଙ୍କାର ପୁରୁସ୍କାର ରାଶି ଘୋଷଣା କରାଯାଇଥିବାବେଳେ ସେ ଆତ୍ମସମର୍ପଣ କରିଥିବାରୁ ତାଙ୍କୁ ୨୫ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି, ୨୫ ହଜାର ଟଙ୍କା ଏକକାଳୀନ ବିବାହ ରାଶି, ୧୦ ହଜାର ଷ୍ଟାଇପେଣ୍ଡ, ସହ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଏସ୍ପି କହିଛନ୍ତି।