ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର ଶିଶୁ ପୁତ୍ରର ଜୀବନ ଚାଲିଯାଇଛି। ମୃତ ଶିଶୁଟି ସହରର ସୁନାରୀପଡ଼ା ଅଞ୍ଚଳର ସଞ୍ଜିତ ସିହ୍ନାଙ୍କ ପୁଅ ଶୁଭମ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସଞ୍ଜିତ ତାଙ୍କର ୨.୪ ବର୍ଷର ପୁଅ ଶୁଭମଙ୍କୁ ଧରି ସ୍କୁଟରରେ ଯାଉଥିବା ବେଳେ ଏକ ମୋଟରସାଇକେଲ ସହ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ଶିଶୁଟି ସ୍କୁଟରରୁ ଛିଟିକି ରାସ୍ତା ଉପରେ ପଡ଼ିଯାଇଥିଲା। ଠିକ୍ ସେହି ସମୟରେ ପଛପଟୁ ଆସୁଥିବା ସୁନ୍ଦରଗଡ଼ ପୌରପାଳିକାର ସଫେଇ କାର୍ଯ୍ୟରେ ନିୟୋଜିତ ଏକ ଟ୍ରାକ୍ଟର ଶିଶୁଟି ଉପରେ ଚଢ଼ିଯାଇଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ପୌରପାଳିକା ସଫେଇ କାର୍ଯ୍ୟ ପାଇଁ ଜଣେ ଠିକାଦାରଙ୍କ ଦ୍ୱାରା ନିୟୋଜିତ ହୋଇଥିଲା। ଅଭିଯୋଗ ହୋଇଛି ଯେ, ଦୁର୍ଘଟଣା ସମୟରେ ଟ୍ରାକ୍ଟର ଚାଳକ ଜଣକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିଲେ। ଏଥିସହ ସମ୍ପୃକ୍ତ ଟ୍ରାକ୍ଟରର ବୈଧ ବୀମା ମଧ୍ୟ ନଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Share