ଭୁବନେଶ୍ୱର,୨୪/୧୧(ବନ୍ଦନା ସେଠୀ):ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍ କନ୍କ୍ଲେଭ୍ ବା ଯୁବ ସମ୍ମିଳନୀ’ ଅନୁଷ୍ଠିତ ହେଉଛି। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୫ମ ସଂସ୍କରଣରେ ପହଞ୍ଚତ୍ଥିବାବେଳେ ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍ ଚେଞ୍ଜ୍: ଫାଇଣ୍ଡିଂ ସଲ୍ୟୁଶନ୍ସ’। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୫ରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପରିବେଶବିତ୍ମାନେ ଯୋଗଦେବେ। ସେହିପରି କାର୍ଯ୍ୟକ୍ରମରେ ଏକ୍ସପର୍ଟ ପ୍ୟାନେଲିଷ୍ଟ ଭାବେ ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ (ସିଏସ୍ଇ)ର ମହାନିର୍ଦ୍ଦେଶକ ତଥା ‘ଡାଉନ୍ ଟୁ ଆର୍ଥ’ର ଏଡିଟର ପଦ୍ମଶ୍ରୀ ସୁନୀତା ନାରାୟଣ, ପରିବେଶବିତ୍ ପଦ୍ମଶ୍ରୀ ଚାମୀ ମୁର୍ମୁ, ବନ୍ୟପ୍ରାଣୀ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ, ବ୍ରିଟିଶ୍ ଡେପୁଟି ହାଇକମିଶନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ୍, ସିଓ୍ବାଇସିଏନ୍ର ଭିସି. ପାର୍ଟନରଶିପ୍ସ ଆଣ୍ଡ୍ ଷ୍ଟେକ୍ ହୋଲ୍ଡର୍ସ ମିତ୍ ସିଜରିଆ, ଇକୋଲୋଜିଷ୍ଟ ତଥା ଦକ୍ଷିନ୍ ଫାଉଣ୍ଡେଶନ୍ର ପ୍ରତିଷ୍ଠାତା କାର୍ତ୍ତିକ ଶଙ୍କର, ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ତଥା ଓଡ଼ିଶା ଲୋକାୟୁକ୍ତର ପୂର୍ବତନ ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଏବଂ ପରିବେଶବିତ୍ ତଥା ଇଏଫ୍ଆଇ ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ଯୋଗଦେବେ। ଏହି ଅବସରରେ ପଦ୍ମଶ୍ରୀ ଚାମୀ ମୁର୍ମୁଙ୍କୁ ‘ଲାଇଭ୍ ଟାଇମ୍ ଆଚିଭ୍ମେଣ୍ଟ’ ପୁରସ୍କାର ସହିତ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଙ୍ଗଠନଗୁଡ଼ିକୁ ‘ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ’ ପ୍ରଦାନ କରାଯିବ। ଏଥିସହ ପ୍ରସିଦ୍ଧ ସଙ୍ଗୀତ କଳାକାର ରାହଗିରଙ୍କ ଦ୍ୱାରା ପରିବେଶ ଉପରେ ସଙ୍ଗୀତ ପରିବେଷଣ କରାଯିବ।