ପୁରୁଷୋତ୍ତମପୁର,୮।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍ଯାପିତ ହୋଇଯାଇଛି। ଶେଷ ପାଳିରେ ମା’ ତାରାତାରିଣୀ ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଚୈତ୍ରମାସରେ ମା’ଙ୍କୁ ଶେଷ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇ ନିଜ ନିଜର ଶୁଭ ମନାସି ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି।
ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଛୁଟି ଆସିଛନ୍ତି। ମନସ୍କାମନା ପୂରଣ ଲାଗି ମାନସିକଧାରୀମାନେ ନିଜ ଶିଶୁଙ୍କ ମୁଣ୍ଡନ କରାଇଛନ୍ତି। ଶେଷ ପାଳିରେ ଭୋର ସାଢେ ୪ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ଥିଲା। ପରେ ମା’ ତାରାତାରିଣୀଙ୍କୁ ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ୫ଟାରେ ସାହାଣ ମେଲା ହୋଇ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ଏହାସହ ଭୋର ୩.୩୦ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ପାହାଡ଼ ପାଦଦେଶ ମୁଣ୍ଡନ ଶାଳାରେ ଶିଶୁଙ୍କ ମୁଣ୍ଡନ କରାଇ ୯୯୯ ପାହାଛ ଚଢି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି।
ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ସହ ପାହାଡ ଉପରକୁ ଯାଇ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ୨୦ରୁ ଅଧିକ ସିଟି ବସର ବ୍ୟବସ୍ଥା କରାଯାଇଛି ।
ଭକ୍ତମାନଙ୍କୁ ଯେଭଳି କୌଣସି ଅସୁବିଧା ନ ହୁଏ ସେନେଇ ପୁରୁଷୋତ୍ତମପୁର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନୟନ୍ତ୍ରଣ କରୁଛନ୍ତି।
ଚଳିତ ମାସରେ ୪ଟି ମଙ୍ଗଳବାର ପଡିଥିବା ଯୋଗୁ ମା’ଙ୍କ ପୂଜାର୍ଚ୍ଚନା ମଧ୍ୟ ବେଶ ଆଡ଼ମ୍ବର ସହକାରେ ପାଳନ ହୋଇଛି । ଆଉ ମା’ଙ୍କୁ ହଜାର ହଜାର ଭକ୍ତ ଶୃଙ୍ଖଳାର ସହ ଦର୍ଶନ କରି ବେଶ ଆନନ୍ଦିତ ହୋଇଛନ୍ତି। ସେବାୟତ ସଂଘର ସଭାପତି ତପନରଣା, ବାପୁଜୀ ରଣାଙ୍କ ସମେତ ସମସ୍ତ ସେବାୟତମାନେ ପୂଜାର୍ଚ୍ଚନା କରୁଛନ୍ତି।


