ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ନ୍ୟାଶନାଲ ଟେଷ୍ଟିଙ୍ଗ୍ ଏଜେନ୍ସିର ୱେବ୍ସାଇଟ exams.nta.nic.in/ncet/ରେ ଆବେଦନ କରିପାରିବେ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୫ଟି ବିଶ୍ୱବିଦ୍ୟାଳୟ ଓ ୮ଟି ସରକାରୀ ମହାବିଦ୍ୟାଳୟରେ ୪ ବର୍ଷିଆ ବି.ଏଡ୍ (ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେଶନ ପ୍ରୋଗ୍ରାମ) ପାଇଁ ସମୁଦାୟ ୧୩୦୦ଟି ସିଟ୍ ରହିଛି। ୨୦୨୬-୨୭ ଶିକ୍ଷାବର୍ଷରୁ ଏନ୍ସିଇଟି ମାଧ୍ୟମରେ ଏହି ପାଠ୍ୟକ୍ରମରେ ନାମ ଲେଖାହେବ। ଏହି ପ୍ରବେଶିକା ପରୀକ୍ଷା ଏପ୍ରିଲ ୧୭ରେ ଅନୁଷ୍ଠିତ ହେବ। ମାର୍କ ଆଧାରରେ ଏହି ସମସ୍ତ ସିଟ୍ରେ ଆଡ୍ମିଶନ ହେବ।
ଏନ୍ସିଇଟି ଫଳାଫଳ ପ୍ରକାଶ ପାଇବା ପରେ ନିଜ ପର୍ସେଣ୍ଟାଇଲ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିଜ ପସନ୍ଦର ଶିକ୍ଷା ଅନୁଷ୍ଠାନ ବାଛିପାରିବେ। ମେରିଟ୍ ତାଲିକା ଏନ୍ସିଇଟି ସ୍କୋର୍ ଆଧାରରେ ପ୍ରସ୍ତୁତ ହେବ। ପ୍ରକାଶଯୋଗ୍ୟ, +୨ ପରେ ଛାତ୍ରୀଛାତ୍ର ସିଧାସଳଖ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେଶନ ପ୍ରୋଗ୍ରାମ ପାଠ୍ୟକ୍ରମ (୪ ବର୍ଷୀୟ ବି.ଏଡ୍ ପାଠ୍ୟକ୍ରମ)ରେ ନାମ ଲେଖାଇ ୪ ବର୍ଷରେ ସ୍ନାତକ ଓ ବି.ଏଡ୍ କୋର୍ସ ଶେଷ କରିପାରିବେ। ତେବେ ୨୦୨୬-୨୭ ଶିକ୍ଷବର୍ଷରେ ଦୁଇ ବର୍ଷୀୟା ବି.ଏଡ୍, ଏମ୍ଏଏଡ୍ ଓ ବିଏଚ୍ଏଡ୍ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବପରି ଷ୍ଟେଟ୍ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ଦ୍ୱାରା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।