ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ: ଦିନମଜୁରିଆ ନୁହେଁ, ଡିଜେ ଅପରେଟର ହେବାକୁ ଇଚ୍ଛା

ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର ବିଡମ୍ବନାର ବିଷୟ, ସମସ୍ତେ ଏହି ଯୋଜନାର ଉପକୃତ ହୋଇପାରୁନାହାନ୍ତି। ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରଥମେ ଶିଶୁ ଶ୍ରମିକ ପ୍ରଥା ରୋକିବା ପ୍ରସଙ୍ଗ ଉଠାଇଥିଲେ। ୨୦୦୨ରେ ଏନେଇ ସର୍ବସମ୍ମତି କ୍ରମେ ଏକ ଆଇନ ପାରିତ ହେଲା। ଯେଉଁଥିରେ ୧୪ ବର୍ଷରୁ କମ ପିଲାଙ୍କୁ ଶିଶୁ ଶ୍ରମ ଏକ ଅପରାଧ ବୋଲି କୁହାଯାଇଥିଲା। ମାତ୍ର ଏବେ ବି ପିଲାମାନେ ହୋଟେଲ, ଇଟାଭାଟି, ଫ୍ୟାକ୍ଟ୍ରି ରେ କାମ କରୁଥିବା ଦେଖିବାକୁ ମିଳୁଛି। ଏହି ଶିଶୁ ଶ୍ରମିକ ଧାରା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି ସକାଶେ ୨୦୦୨ରୁ ଜୁନ ୧୨କୁ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁ ଶ୍ରମିକ ପ୍ରଥା ହଟାଇବା ପାଇଁ ରାଜ୍ୟରେ ବହୁ ସଂସ୍ଥା କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସହଯୋଗରେ ରାଜ୍ୟରେ ଶିଶୁ ଶ୍ରମିକ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଶିଶୁ ଶ୍ରମିକ ଅବସ୍ଥାରୁ ନିଜକୁ ବାହାର କରି ସାଧାରଣ ପିଲାଙ୍କ ଭଳି ପାଠ ପଢ଼ିବା ଲାଗି ସେମାନେ ମଧ୍ୟ ସ୍ବପ୍ନ ଦେଖୁଛନ୍ତି।

କେନ୍ଦୁଝର ଜିଲାର ବବ୍‌ଲୁ ଲାଗୁରି। ବବୁଲର ପରିବାର କହିଲେ ବାପା, ମାଆ, ଭାଇଭଉଣୀଙ୍କୁ ବୁଝାଏ। ସେମାନେ ଭୁବନେଶ୍ୱରସ୍ଥିତ ହାଇଟେକ ମୁଣ୍ଡାସାହି ବସ୍ତିରେ ରହୁଛନ୍ତି। ବାପା, ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପେଷଣ କରନ୍ତି। ଆର୍ଥିକ ଅଭାବ ଓ ଦାରିଦ୍ର୍ୟ କାରଣରୁ ପରିବାର ଲୋକ ପିଲାଙ୍କୁ ପାଠପଢ଼ାଇବାକୁ ସମର୍ଥ ହେଉନଥିଲେ। ସେଥିପାଇଁ ବାପା ମାଆଙ୍କ ସହିତ କାମ କରିବାକୁ ବାହାରି ପଢ଼ିଥିଲେ ବବ୍‌ଲୁ। ଯେଉଁ ବୟସରେ ପାଠପଢ଼ିବା ଓ ଖେଳକୁଦ କରିବା କଥା ସେହି ବୟସରେ ସେ ବାଲି ସିମେଣ୍ଟ ବୁହା କାମ କରୁଥିଲେ। ଦିନମଜୁରିଆ ଭାବେ କାମ କରି ସେ ଦିନକୁ ୫୦ରୁ ୧୦୦ ଟଙ୍କା ରୋଜଗାର କରୁଥିଲେ। ଏଭଳି ଅବସ୍ଥାରେ ୨୦୧୮ ମସିହାରେ ଆଭେକ୍ଷା ଟ୍ରଷ୍ଟ ତାଙ୍କୁ ଉଦ୍ଧାର କରିଥିଲା। ସେତେବେଳକୁ ବବ୍‌ଲୁଙ୍କୁ ବୟସ ମାତ୍ର ୧୦ ବର୍ଷ। ଉଦ୍ଧାର ପରେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ପାଠ ପଢ଼ାଇବା ପାଇଁ ରାଜି କରାଯାଇଥିଲା। ସେ ହଂସପାଳ ହାଇସ୍କୁଲରେ ପାଠପଢ଼ିବା ଆରମ୍ଭ କରିଥିଲେ। ନିଷ୍ଠା ଓ ପରିଶ୍ରମ ବଳରେ ସେ ଦଶମ ଶ୍ରେଣୀ ପାସ କରିଛନ୍ତି। ତେବେ ଆଗକୁ ଜଣେ ଡିଜେ ଅପରେଟର ଭାବେ କାର୍ଯ୍ୟ କରିବାକୁ ବବ୍‌ଲୁ ଲକ୍ଷ୍ୟ ରଖିଛନ୍ତି।
-ରିପୋର୍ଟ: ସୁଚିସ୍ମିତା ସାହୁ, ଭୁବନେଶ୍ୱର

Share