ଭୁବନେଶ୍ୱର, ୨୩।୨: ଭାଜପା କୋର କମିଟି ବୈଠକକୁ ନେଇ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଉପରେ ଚର୍ଚ୍ଚା ହୋଇଛି। ରାଜ୍ୟ ସଭା କାହାକୁ ପଠାଯିବ କୋର୍ କମିଟି ସଦସ୍ୟ ନାଁ ପ୍ରସ୍ତାବ ଦେବେ। ସେଇ ନାଁ ଭାଜପା ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଯିବ। ଓଡ଼ିଶାରୁ ଯିବେ ନା ରାଜ୍ୟ ବାହାରୁ ଯିବେ ତାହା ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ମନମୋହନ ସୂଚନା ଦେଇଛନ୍ତି। ବୋର୍ଡ ନିଗମ ପଦପଦବୀ ନେଇ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ୫ ଦିନ ଭିତରେ ସ୍ପଷ୍ଟ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ସଭାରେ ଥିବା ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ୍ କୁମାର ଏବଂ ମମତା ମହନ୍ତଙ୍କ କାର୍ଯ୍ୟକାଳ ଶେଷ ହେବ। କିଛି ମାସ ତଳେ ମମତା ଏବଂ ସୁଜିତ୍ କୁମାର ବିଜେଡିରୁ ଛାଡ଼ିବା ସହିତ ରାଜ୍ୟ ସଭା ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଦୁଇ ଆସନ ଲାଗି ଉପନିର୍ବାଚନ ହେବା ସହ ଭାଜପା ବିଜେଡିରୁ ଆସିଥିବା ୨ ଜଣଙ୍କୁ ପ୍ରାର୍ଥୀ କଲା ଏବଂ ଉଭୟ ପୁଣିଥରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଗୋଟିଏ ଏବଂ ଭାଜପା ୨ଟି ଆସନରେ ବାଜିମାତ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ। ହେଲେ ଯେଉଁ ୪ର୍ଥ ଆସନ ରହିଛି ସେଥିପାଇଁ ସଂଖ୍ୟା ଦୃଷ୍ଟିରୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ଭିତରେ ରାଜନୈତିକ ଲଢ଼େଇ ହେବ। ଏବେ ଏହି ଆସନକୁ ଭାଜପା ସୁନିଶ୍ଚିତ ଜିତିବ ବୋଲି ଆଗୁଆ ଦାବି କରିବା ଆରମ୍ଭ କରିଛି। କିଛିଦିନ ତଳେ ଭାଜପା ନେତା ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ସମାନ ଦାବି କରିଥିଲେ।