ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଅବସ୍ଥିତ ପାରସାଲି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଏଠାରେ ବହୁ ବିପିଏଲ୍ ହିତାଧିକାରୀ ରହିଥିଲେ ହେଁ ଗାଁ ନିକଟରେ ମିଳିପାରୁନାହିଁ ଚାଉଳ। ଟଙ୍କିକିଆ ଚାଉଳ ପାଇଁ ଲାକପଦର ଗ୍ରାମରୁ ୧୫ କି.ମି. ଦୂରରେ ଅବସ୍ଥିତ ପାରସାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଛି। ଫଳରେ ଅଯଥା ଗାଡ଼ି ଖର୍ଚ୍ଚ ଦେବାକୁ ପଡ଼ୁଛି ବୋଲି ଲାକପଦର ଗ୍ରାମବାସୀ କହିଛନ୍ତି। ତେଣୁ ନିକଟରେ ଚାଉଳ ବଣ୍ଟନ ପାଇଁ ଦୀର୍ଘ ଦିନରୁ ସେମାନେ ଦାବି କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଞ୍ଚଳବାସୀ କହିଛନ୍ତି।
ଏପରିକି କଲ୍ୟାଣସିଂହପୁରଠାରୁ ଲାକପଦରୁ କୌଣସି ସରକାରୀ ବସ୍ ସେବା ଉପଲବ୍ଧ ନ ଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଲୋକେ ପାହାଡ଼ିଆ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ମଧ୍ୟ ମିଳୁନାହିଁ। ଗମନାଗମନ ପାଇଁ ରହିଥିବା ରାସ୍ତା ଅବସ୍ଥା ଶୋଚନୀୟ। ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ବେଳେ ଏଯାବତ୍ ନିର୍ମାଣ ଶେଷ ହୋଇନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସମୟକ୍ରମେ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନା କରୁଥିଲେ ହେଁ ଏହା କେବଳ କାଗଜପତ୍ରରେ ସୀମିତ ରହିଯାଉଛି ବୋଲି ଡଙ୍ଗରିଆମାନେ କହିଛନ୍ତି। ପାରସାଲି ପଞ୍ଚାୟତର ଲାକପଦର, ପଟାଙ୍ଗପଦର, ଡଙ୍ଗାମାଟି, ଗୁମା, ଲାମ୍ବା ଗ୍ରାମବାସୀ ସେମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଜିଲା ପ୍ରଶାସନ ନିକଟରେ ଜଣାଉଥିଲେ ମଧ୍ୟ କୌଣସ ସୁଫଳ ମିଳୁ ନ ଥିବା ପ୍ରକାଶ କରିଛନ୍ତି। ତେଣୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଅଞ୍ଚଳକୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।