ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଟିଟିଲାଗଡ଼ ସହର ଠିକାଦାରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରି ନଗର ପରିଭ୍ରମଣ କରିଥିଲା। ଏହି ଶୋଭାଯାତ୍ରାରେ କୁନି କୁନି ପିଲାମାନେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଭୂମିକାରେ ସଜେଇ ହୋଇ ଏକ ସୁସଜ୍ଜିତ ରଥରେ ବସି ଯାଉଥିଲେ। ସମଗ୍ର ସହର ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଉଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ନାଚ ଗୀତରେ ମସଗୁଲ ଥିଲେ।

ଶୋଭାଯାତ୍ରାଟି ଶାସ୍ତ୍ରୀ ଛକରେ ପହଞ୍ଚିବା ବେଳେ ଟିଟିଲାଗଡ଼ ବିଧାୟକ ସେଠାରେ ସାମିଲ ହୋଇଥିଲେ। ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ନିଜ ପିସ୍ତଲ ବାହାର କରି ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। କେବଳ ସେତିକି ନୁହେଁ, ଗୁଳି ଚାଳନା ପରେ ବନ୍ଧୁକକୁ ନିଜ ଅଣ୍ଟାରେ ‘ଫିଲ୍ମ ଷ୍ଟାଇଲ’ରେ ରଖୁଥିବା ଦେଖାଯାଇଥିଲା। ପୁଣି ଥରେ ପୁରୁଣା ବ୍ୟାଙ୍କ ଛକରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ଗୁଳି ଚାଳନା କରୁଥିବା ସମୟରେ ତାଙ୍କ ଅଙ୍ଗରଖି ତାଙ୍କ ହାତକୁ ଉପରକୁ ଟେକି ଧରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଟିଟିଲାଗଡ଼ ପୋଲିସର ଉପସ୍ଥିତିରେ ଏଭଳି ବାରମ୍ବାର ଗୁଳି ଚାଳନା କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ଘଟଣାକୁ ନେଇ ଏବେ ଟିଟିଲାଗଡ଼ ସହରରେ ଆଲୋଚନା ଜୋର୍‌ ଧରିଛି ଏବଂ ସାଧାରଣରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି।

Dharitri – Odisha’s No.1 Odia Daily

Share