ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ ଗାଡ଼ି।
ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଏକ କାଠ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ବାଲେଶ୍ୱର ରେଞ୍ଜର ମନୁଆର ଖାନଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ବନ କର୍ମଚାରୀ କାଠ ଗାଡ଼ିଟିକୁ ଜବତ କରିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ସଂଘବଦ୍ଧ ଭାବେ କାଠ ମାଫିଆମାନେ ପହଞ୍ଚିଥିଲେ। ସେମାନେ ଜଣେ ବନରକ୍ଷୀଙ୍କୁ ଆକ୍ରମଣ କରିବା ସହ ବନ ବିଭାଗର ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରି ମାଫିଆମାନେ ଜବତ ହୋଇଥିବା କାଠ ଗାଡ଼ିଟିକୁ ଛଡ଼ାଇ ନେଇ ଚମ୍ପଟ ମାରିଥିଲେ।
ରେଞ୍ଜର ମନୁଆର ଖାନଙ୍କ କହିବା ଅନୁଯାୟୀ, ଏହା କାଠ ମାଫିଆଙ୍କ ଏକ ସୁଚିନ୍ତିତ ଯୋଜନା। ଯେତେବେଳେ ବି କୌଣସି ଗାଡ଼ି ଜବତ ହୁଏ, ସେମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବନ କର୍ମଚାରୀଙ୍କୁ ଭୟଭୀତ କରି ଗାଡ଼ି ଛଡ଼ାଇ ନିଅନ୍ତି। ଏହି ଘଟଣା ସମ୍ପର୍କରେ ବ୍ରହ୍ମପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଉଛି।
ଏହି ଘଟଣା ବାଲେଶ୍ୱରରେ ସକ୍ରିୟ ଥିବା ସଂଗଠିତ କାଠ ଚୋରା ଚାଲାଣକାରୀଙ୍କ ବଢୁଥିବା ସାହସ ଏବଂ ବନ କର୍ମଚାରୀଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।