ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ସାଢେ ୬ଟା ସମୟରେ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ବଜାରରେ ତିହିଡି ଜନ ସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସ ରୋକୋ କରାଯାଇଛି ।

ତେବେ ଆନ୍ଦୋଳନର ୧ ଘଣ୍ଟା ପରେ ଜିଲା ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ମଞ୍ଚର କର୍ମକର୍ତ୍ତାଙ୍କ ଆଲୋଚନା କରିଥିଲେ । ଯାତ୍ରୀମାନଙ୍କ ଠାରୁ ଧାର୍ଯ୍ୟ ଭଡ଼ା ନିଆଯିବା, ବସରେ ରେଟ ଚାର୍ଟ ଲଗାଯିବା ଇତ୍ୟାଦି ମଞ୍ଚର ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଆନ୍ଦୋଳନରେ ବିଷ୍ଣୁ ଦାଶ, ସତ୍ୟବ୍ରତ କୁଣ୍ଡ, ମନମୋହନ କୁଣ୍ଡ, ଭଗବତ ସେନାପତି, ବାବୁରାମ ମଲିକ, କୃଷ୍ଣଚନ୍ଦ୍ର ମଲିକ ପ୍ରମୁଖ ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily

Share