ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ବିଶେଷ କରି ସୋସିଆଲ ମିଡିଆରେ ବାଘର ଭିଡିଓ ଭାଇରାଲ ହେବା ପରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।
ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟା ସମୟରେ ଅମଠାଗୁଡ଼ା ଗ୍ରାମର ମହେଶ ସାହୁ ନାମକ ଜଣେ ବ୍ୟକ୍ତି କାଶିପୁରରୁ ନିଜ ବ୍ୟକ୍ତିଗତ କାମ ସାରି କାର୍ ଯୋଗେ ଘରକୁ ଫେରୁଥିଲେ। କାଶିପୁର-ଗୁଣୁପୁର ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ତଳଆମ୍ବ ପଦର ସାପ୍ତାହିକ ବଜାର ନିକଟସ୍ଥ ବୁଲାଣିରେ ହଠାତ୍ ଏକ କଲାପତରିଆ ବାଘ ତାଙ୍କ କାର୍ ସାମ୍ନାକୁ ଚାଲିଆସିଥିଲା। ଗାଡ଼ିର ଆଲୋକ ପଡ଼ିବାରୁ ବାଘଟି କିଛି ସମୟ ରାସ୍ତା କଡ଼ରେ ଛିଡ଼ା ହୋଇ ରହିବା ପରେ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଏହି ସମୟରେ ଶ୍ରୀ ସାହୁ ନିଜ ମୋବାଇଲ୍ରେ ବାଘର ଗତିବିଧିକୁ କଏଦ କରିଥିଲେ, ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ଓ ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଜଣାପଡ଼ିବା ପରେ ସାଇସୁରୁଣୀ ବନ ବିଭାଗ ତତ୍ପରତା ପ୍ରକାଶ କରିଛି। ବନ ବିଭାଗ ପକ୍ଷରୁ ବାଘକୁ ଠାବ କରିବା ପାଇଁ ‘ସର୍ଚ୍ଚ ଅପରେସନ’ ଜାରି ରହିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସ୍ଥାନୀୟ ବନ କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ଆମେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରୁଛୁ ଏବଂ ସନ୍ଧାନୀ ଦଳ ବାଘକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବାଘ ମିଳିବା ପରେ ହିଁ ଅଧିକ ତଥ୍ୟ ପ୍ରଦାନ କରାଯିବ।” ତେବେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବାଘର ଗତିବିଧି ଉପରେ ନଜର ରଖିବାକୁ ସାଧାରଣରେ ଦାବି ହେଉଛି।