ନୂଆପଡ଼ା,୧।୩(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲାରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ବାଘ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସୋସେଙ୍ଗ ଗାଁର କମଳ ନାଥ ମାଝି(୩୦) କୌଣସି କାମରେ ଏକ କାର୍ ଯୋଗେ ନୂଆପଡା ଯାଉଥିଲେ।ସେହି ସମୟରେ ଏକନ ଗୋଡିଆ ଘାଟି ତଳକୁ ହଲୁଆପାଲି-କେରମେଲି ନୂଆପଡା ରାସ୍ତାରେ ଦୁଇଟି କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ। ସେ ଭୟଭୀତ ଅବସ୍ଥାରେ ଗାଡିକୁ ରାସ୍ତାରେ ଅଟକାଇ ମୋବାଇଲରେ ଭିଡିଓ ଶୁଟ୍ କରିଥିଲେ। ସେହି ସମୟରେ ଗୋଟିଏ ବାଘ ଜଙ୍ଗଲ ଭିତରକୁ ଚାଲିଯାଇଥିବା ବେଳେ ଅନ୍ୟ ଏକ ବାଘ ରାସ୍ତା କଡରେ ବସି ରହିଥିଲା। ପ୍ରାୟ ଅଧଘଣ୍ଟା ପରେ ବାଘ ରାସ୍ତାରୁ ଜଙ୍ଗଲକୁ ଚାଲିଯିବା ପରେ କମଳ ଗାଡି ଧରି ନୂଆପଡା ପଟେ ଯାଇଥିଲେ। ଆଖି ସାମ୍ନାରେ ବାଘ ଦେଖିଥିବା କମଳ ରାତିରେ ଘରକୁ ନ ଫେରି ସକାଳେ ଫେରିଥିଲେ। ମୋବାଇଲରେ କଏଦ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ବନବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ବର୍ତ୍ତମାନ ମହୁଲ ଫୁଲ ଗୋଟାଇବା ସମୟ। ମହୁଲ ଫୁଲ ଖାଇବା ପାଇଁ ଗାଈ, ବାଛୁରୀ, ଛେଳି, ମେଣ୍ଢା ଗଛ ତଳେ ଗୋଠ ହୋଇ ରହନ୍ତି ା ବାଘକୁ ଶିକାର କରିବା ସହଜ ହୋଇଥାଏ। ସେଥିପାଇଁ ବାଘ ଜଙ୍ଗଲରୁ ପଦାକୁ ଆସୁଛି ବୋଲି ଅନୁମାନ କରାଯାଉଛି। ଖବର ପାଇ କୋମନା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଘର ଗତିବିଧି ଉପରେ ନଜର ରଖିବା ସହ ପାହାଡ ତଳି ଗାଁଗୁଡିକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛନ୍ତି।