ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…

ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି।

ସୂଚନା ଅନୁସାରେ, କଳିଙ୍ଗା ନିବାସୀ ରାଧାମୋହନ ସାହୁଙ୍କ ମୁଣ୍ଡାମାଲାଙ୍ଗଠାରେ ଥିବା ବଗିଚାରେ ଚାଷ କରନ୍ତି। ସେହି ବଗିଚାକୁ ଜଳସେଚନ ନିମନ୍ତେ ଏକ ପାଣି ପମ୍ପ ଫିଟିଙ୍ଗ କରିଛନ୍ତି। ପାଣି ପମ୍ପର ସୁରକ୍ଷା ପାଇଁ ସେଠାରେ ଏକ ସିସିଟିଭି କ୍ୟାମେରା ଲଗାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିତା ବାଘ ବୁଲୁଥିବା ବେଳେ ସେହି କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ସକାଳେ ଏହି ଦୃଶ୍ୟ ଦେଖି ରାଧାମୋହନ ସାହୁ ଆଚମ୍ବିତ ହୋଇ କଳିଙ୍ଗା ଅଞ୍ଚଳର ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକଙ୍କ ଜରିଆରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବନ ବିଭାଗ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ତତ୍‌କ୍ଷଣାତ୍‌ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବନ ବିଭାଗ ସୂଚନା ଦେଇଛି ଯେ, ଉକ୍ତ ଚିତା ବାଘ ଚକାପାଦ ପସରା ଜଙ୍ଗଲ ଅଞ୍ଚଳରୁ ଆସିଥିବା ସମ୍ଭାବନା ରହିଛି। କଳିଙ୍ଗା ପରେ ବାଘଟି ବର୍ତ୍ତମାନ ପୁକୁଲିଙ୍ଗିଆ ଓ ରାଇପଦା ଅଞ୍ଚଳର ଜଙ୍ଗଲ ମଧ୍ୟରେ ଗତିବିଧି କରୁଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀମାନେ ବାଘର ଗତିବିଧି ଉପରେ ନିରନ୍ତର ନଜର ରଖି ଟ୍ରାକିଂ କରୁଥିବା ବେଳେ ସାଧାରଣ ଲୋକଙ୍କ ଧନ ଓ ଜୀବନ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସତର୍କତା ଗ୍ରହଣ କରାଯାଉଛି। ଏହି ଅବସରରେ ଜି.ଉଦୟଗିରି ଫରେଷ୍ଟର ପ୍ରଶାନ୍ତ କୁମାର ସାହୁ, ଫରେଷ୍ଟ ଗାର୍ଡ ମନୋଜ କୁମାର ମହାପାତ୍ର, ରଶ୍ମିତା ବାକ୍ସିଙ୍କ ସମେତ ପାରା କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ବାଘର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ଅଯଥା ଜଙ୍ଗଲ ଭିତରକୁ ନ ଯିବାକୁ ଅନୁରୋଧ କରାଯାଇଛି।

Dharitri – Odisha’s No.1 Trusted Odia Daily