ନୂଆପଡା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ନୂଆପଡ଼ା ବନାଞ୍ଚଳ ଅଧୀନ ଧରମବନ୍ଧା ବିଟ୍ ଚୁଲାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଗାଈକୁ ମାରି ଖାଇଛି କଲରାପତରିଆ ବାଘ।
ମିଳିଥିବା ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ପଣ୍ଡରିପାଣି ଗାଁର ମୁଞ୍ଚୁ ରାଉତ ନିଜ ଗାଈ ଏବଂ ବାଛୁରୀକୁ ବାନ୍ଧି ରାତିରେ ଖାଇ ଶୋଇଥିଲେ l ବିଳମ୍ବିତ ରାତ୍ରରେ ଏକ କଲରାପତରିଆ ବାଘ ଗୁହାଲରେ ପଶି ଗାଈକୁ ଆକ୍ରମଣ କରିଥିଲା l ସେହି ସମୟରେ ଗାଈମାନେ ହମ୍ବା ରଡି ଛାଡିଥିଲେ। ଗାଈ ମାଲିକ ଟର୍ଚ୍ଚ ଲାଇଟ୍ ଧରି ଆସି ଦେଖିଲା ବେଳକୁ ବାଘ ଗୁହାଳ ଡେଇଁ ପଳାଇ ଯାଇଥିଲା l
ହେଲେ ସେତିକିବେଳେ ଏକ ଗାଈର ମୃତ୍ୟୁ ହୋଇସାରିଥିଲା l ଏନେଇ ନୂଆପଡ଼ା ବନ ବିଭାଗକୁ ଖବର ଦିଆଯାଇଥିଲା। ହେଲେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗତ ଦୁଇ ମାସ ହେଲା ବାଘ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଗୃହ ପାଳିତ ପଶୁଙ୍କୁ ମାରି ଖାଉଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଲାଗି ରହୁଛି। ସନ୍ଧ୍ୟା ହେଲେ ଲୋକେ ଭୟରେ ତାଟିକବାଟ ବନ୍ଦ କରି ରହୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।