ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ l ବାଘ ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ।

ସୂଚନାନୁଯାୟୀ, ଗତ ଦୁଇରୁ ତିନିଦିନ ହେଲା ସମାକୁପା ଅଞ୍ଚଳରେ ଏକ ବାଘର ପାଦଚିହ୍ନ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ପ୍ରତିଦିନ ଗାଁରୁ ଜଙ୍ଗଲକୁ ଚଳିବାକୁ ଯାଇଥିଲା ଗାଈ। ଏହା ପରେ ଗ୍ରାମବାସୀ ଜଙ୍ଗଲକୁ ଗୋରୁ ଖୋଜିବା ପାଇଁ ବାହାରିଥିଲେ। ଆଉ ଜଙ୍ଗଲକୁ ଯାଇ ଗ୍ରାମବାସୀ ଯାହା ଦେଖି ଥିଲେ ତାଙ୍କର ବି ହୋସ୍‌ ଉଡ଼ିଯାଇଥିଲା। ଗ୍ରାମବାସୀ ଓ ଗାଈ ଜଗୁଆଳଙ୍କ ସନ୍ଦେହ ସତ ହୋଇଥିଲା । ଜଙ୍ଗଲରେ ଗାଈର ମୃତଦେହ ଅବଶେଷ ଦେଖିବା ସହ ବାଘ ପାଦଚିହ୍ନ ଓ ମଳ ମଧ୍ୟ ଦେଖିବାକୁ ପାଇଛନ୍ତି । ଯାହାକୁ ଦେଖି ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ବାଘକୁ ଅଞ୍ଚଳରୁ ଘୋଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପଟେ ଏହି ବାଘଟି କଲରାପତାରିଆ ନା ମହାବଳ ବାଘ ତାହା ଅସ୍ପଷ୍ଟ ରହିଛି। ତାହା ବନବିଭାଗ ତଦନ୍ତ କରି ଲୋକଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି।

Dharitri – Odisha’s No.1 Odia Daily

 

 

Share