ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ ବନ୍ୟପ୍ରାଣୀ ଜଙ୍ଗଲ ଖାଦ୍ୟ ଅପେକ୍ଷା ଜଙ୍ଗଲ ବାହାର ଖାଦ୍ୟ ଅନେକ ସମୟରେ ପସନ୍ଦ କରୁଛନ୍ତି। ତେଣୁ ବିଭିନ୍ନ ସମୟରେ ଉକ୍ତ ଦୁଇ ପ୍ରାଣୀ ଜଙ୍ଗଲ ବାହାରକୁ ଆସି ଲୋକଙ୍କ କ୍ଷତି କରୁଛନ୍ତି। ବାଘ ଗୃହପାଳିତ ପ୍ରାଣୀ ଯଥା ଗାଈ, ଗୋରୁ, ଛେଳି ଆକ୍ରମଣ କରି ଖାଉଛି। କିଛି ଦିନ ପୂର୍ବେ ମୁଜାଗଡ଼ ରେଞ୍ଜ ସିଧାପଦର ଗ୍ରାମରେ ଗୋଟିଏ କଲରାପତରିଆ ବାଘ ଲୋକଙ୍କ ଗାଈ ଓ ଛେଳି ମାରି ଖାଇଥିଲା। ସେହିଭଳି ହାତୀପଲ ମଧ୍ୟ ଏହି ବନଖଣ୍ଡରେ ଲୋକଙ୍କ ବ୍ୟାପକ ଫସଲ କ୍ଷତି କରୁଛି। ଘରଦ୍ୱାର ଭାଙ୍ଗୁଛି। ଏଥିସହ ଦନ୍ତା ହାତୀ ଗୃହପାଳିତ ପ୍ରାଣୀଙ୍କୁ ରାଗରେ ଆକ୍ରମଣ କରି ମାରିଦେଉଛି। ଶନିବାର ରାତିରେ ହାତୀପଲ ତୁରୁମୁରେ ଧାନ ଗଦା ନଷ୍ଟ କରିଛନ୍ତି। କୋଟିପଡ଼ା, ଗୁଜରାଲି, ବୋରିବନ୍ଧ, ବେରୁଆବାଡ଼ି, ସାମରଡ଼ା, ମୁଜାଗଡ଼, ଖଣ୍ଡିକୋଟି, ଗୁଣ୍ଡିରିବାଡ଼ି ପ୍ରମୁଖ ଗ୍ରାମରେ ଗତକାଲି ହାତୀପଲ ବ୍ୟାପକ ଫସଲ କ୍ଷତି କରୁଛନ୍ତି। କଦଳୀ ବଗିଚା, ଆଖୁ ବଗିଚା ମଧ୍ୟ ନଷ୍ଟ କରିଛନ୍ତି। ଏଥିସହ ଖଣ୍ଡିକୋଟି ଗ୍ରାମର ଗୋଟିଏ ଗାଈକୁ ଦନ୍ତା ହାତୀ ଆକ୍ରମଣ କରିଛି। ଚିକିତ୍ସାଧୀନ ଅବସ୍ଥାରେ ଗାଈଟି ମୃତ୍ୟୁବରଣ କରିଛି। ଗାଲେରୀ ରେଞ୍ଜ କରଡ଼ାବଣୀ ସ୍ଥାୟୀ ନର୍ସରୀ ପାଚେରି ଭାଙ୍ଗି ଗତକାଲି ରାତିରେ ୨୩ ପଟ ହାତୀପଲ ପଶି ବ୍ୟାପକ ଚାରା ନଷ୍ଟ କରିଛନ୍ତି। ଏଥିସହ ସେଠାରେ ଶ୍ରମିକମାନେ ରହିବା ପାଇଁ ଥିବା ଘରଟିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବାଉଁଶ ଗଛଗୁଡ଼ିକୁ ମଧ୍ୟ ଭାଙ୍ଗି କନ୍ଦା ଖାଇଛନ୍ତି।

ଖବର ପାଇ ବନପାଳ ଶୁଭସ୍ମିତା ପାତ୍ର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଏହି ବନଖଣ୍ଡରେ ରବିବାର ସକାଳ ସୁଦ୍ଧା ୭୦ ଟି ହାତୀ ମୁଜାଗଡ଼, ଗାଲେରି ଓ ତାରସିଂ ରେଞ୍ଜରେ ଥିବା ଜଣାପଡ଼ିଛି । ବନ୍ୟପ୍ରାଣୀ ଆକ୍ରମଣରୁ ଲୋକଙ୍କ ଯେଭଳି କିଛି କ୍ଷତି ନ ହେବ ସେଥିପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା ସଫଳ ହେଉନାହିଁ। ଯାହାକି ଚିନ୍ତାଜନକ ବିଷୟ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆଉ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Dharitri – Odisha’s No.1 Trusted Odia Daily