ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହାପରେ ଚଳିତ ମାସ ୧୫ରୁ ୨୧ ତାରିଖ ମଧ୍ୟରେ କର୍ମଚାରୀମାନେ ଜଙ୍ଗଲକୁ ଯାଇ ବାଘର ସ୍ଥିତି ଜାଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହି ସମୟରେ କର୍ମଚାରୀମାନେ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଇବେ। ପଗମାର୍କ ଓ ମଳ ନିଶାନ ବିଶ୍ଲେଷଣ କରିବେ। ଏଥିସହ ଜିନେଟିକ ଅନୁଶୀଳନ ଓ ସାଟେଲାଇଟ ଡାଟା ମ୍ୟାପିଂ ମଧ୍ୟ ହେବ। ବାଘ ଗଣନାର ମୂଳ ଲକ୍ଷ୍ୟ ହେଲା ଭାରତରେ ବାଘମାନଙ୍କ ନିକଟ ଆନୁମାନିକ ସଂଖ୍ୟା ଜାଣିବା । ବାଘମାନଙ୍କ ବାସସ୍ଥଳୀ ଅବସ୍ଥା ଅନୁଶୀଳନ କରିବା। ଏହାପରେ ସରକାର ଦେଶରେ ବାଘ ସଂରକ୍ଷଣ ପାଇଁ ଯୋଗ୍ୟ ନୀତି ଓ ପଦକ୍ଷେପ ଗ୍ରହଣ କରିବେ।
ଇତିମଧ୍ୟରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ଲାଲସିଂ ନର୍ସରୀ ଏବଂ ତାରସିଂ ଠାରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ବାଘ ଗଣନା କିଭଳି ହେବ ସେନେଇ ତାଲିମ ପ୍ରଦାନ କରିଛନ୍ତି। ସେହିଭଳି ଘୁମୁସର ଦକ୍ଷିଣ ବନଖଣ୍ଡ ପକ୍ଷରୁ ବୁଗୁଡ଼ା ସମେତ ବିଭିନ୍ନ ସ୍ଥାନରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବାଘ ଗଣନା ସମୟରେ କର୍ମଚାରୀମାନେ ମାଂସାସୀ ଏବଂ ବଡ଼ ତୃଣଭୋଜି ଯଥା ହାତୀ, ଗୟଳ ଇତ୍ୟାଦିର ମଧ୍ୟ ଗଣନା କରିବେ। ଏଥିସହ ଗୁଳ୍ମ ଜାତୀୟ, ତୃଣ ଜାତୀୟ ଉଦ୍ଭିଦ ଚିହ୍ନଟ କରିବେ। ଯେଉଁଠି ଜନ୍ତୁ ରହୁଛିନ୍ତି ସେଠି କେଉଁ ଉଦ୍ଭିଦ ବେଶୀ ରହିଛନ୍ତି ତାହାର ମଧ୍ୟ ଅନୁଧ୍ୟାନ କରାଯିବାର କାର୍ଯ୍ୟକ୍ରମ ରହିଛି।


