ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍ ଲାଇନ୍ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ ବ୍ୟାପି ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା। ବୁଧବାର ମଧ୍ୟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ନେଇ ପୂର୍ବାନୁମାନ କରାଯାଇଛି। ବର୍ଷା, ଘଡ଼ଘଡ଼ି ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲାର ଚନ୍ଦନପୁରଠାରେ ସର୍ବାଧିକ ୧୫.୪ ମି.ମି. ବର୍ଷା ହୋଇଥିଲା। ସେହିପରି ଜାମଶୋଳାଘାଟଠାରେ ୧୧.୮ ମି.ମି., ଯଶୀପୁରରେ ୯.୫ ମି.ମି., ବାଙ୍ଗିରିପୋଷିରେ ୬ ମି.ମି., ଚାନ୍ଦୁଆରେ ୫ ମି.ମି., ତିରିଙ୍ଗଠାରେ ୪.୪ ମି.ମି., ସାରସକଣାରେ ୪ ମି.ମି., ବହଳଦାରେ ୩.୫ ମି.ମି., ଜି.ବି. ନଗରଠାରେ ୩ ମି.ମି. ଏବଂ ବାରିପଦାରେ ୨ ମି.ମି. ବର୍ଷା ରେକର୍ଡ ହୋଇଛି। ଅପରପକ୍ଷେ ମଙ୍ଗଳବାର ୮ ସହରର ତାପମାତ୍ରା ୩୭ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥବାବେଳେ ଝାରସୁଗୁଡାେରେ ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବଢିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି।