ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଆଣ୍ଡ୍ ହ୍ୟୁମିଡିଟି ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ୫ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖ ଯାଏ ଏପରି ଝଡ଼ବର୍ଷା ଲାଗି ରହିବ।
ଆଜି ୩ ଜିଲା ଗଞ୍ଜାମ, ଗଜପତି, ପୁରୀକୁ ତାତି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିଭଳି ନୂଆପଡ଼ା ଓ ନବରଙ୍ଗପୁରକୁ ଝଡ଼ ତୋଫାନ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ।
ବୁଧବାର ରାଜ୍ୟର ୨୪ ସ୍ଥାନରେ ପାରଦ ୩୬ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିଭଳି ଢେଙ୍କାନାଳ ଜିଲାରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଆସନ୍ତା ୨ଦିନରେ ତାପମାତ୍ରା ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।