ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍ ଦନ୍ତା ଆକ୍ରମଣରେ ୩ ଜଣ ମହୁଲ ଗୋଟାଳି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ କନ୍ତୋର ଖଇରା ସାହିର ଦେବରାଜ ସାହୁ(୭୦), କନ୍ତୋର ଚଣ୍ଡିକତୈଳା ସାହିର ସାବିତ୍ରୀ ସାହୁ(୫୦) ଏବଂ ବାରିହାପୁର ଗାଁର ଆଦିତ୍ୟ ସାହୁ(୩୭)।
ସୂଚନା ଅନୁସାରେ, ଦେବରାଜ ନିଜ ଗୋଡିପଶି ସ୍ଥିତ ଚାଷ ଜମି ପାଖରେ ଥିବା ମହୁଲ ଗଛରୁ ମହୁଲ ଗୋଟାଉଥିବା ବେଳେ ଦନ୍ତା ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଫଳରେ ତାଙ୍କ ଛାତିରେ ଶକ୍ତ ଆଘାତ ଲାଗିଛି । ସେହିପରି ଚଣ୍ଡିକତୈଳା ସାହିର ସାବିତ୍ରୀ ସାହୁଙ୍କୁ ଦନ୍ତା ଆକ୍ରମଣ କରିଥିଲା ତାଙ୍କ ଅଣ୍ଟା ଏବଂ ଜଙ୍ଘରେ ଆଘାତ ଲାଗିଛି । ବାରିହାପୁର ଗାଁର ଆଦିତ୍ୟ ସାହୁ ମହୁଲ ଗୋଟାଇବାକୁ ଯାଇ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ୩ ଜଣଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଂକଟାପନ୍ନ ଥିବା ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିହଡୋଳ ଫରେଷ୍ଟର ଚନ୍ଦ୍ର ଶେଖର ବେହେରା ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ସମସ୍ତ ସହଯୋଗ କରୁଛନ୍ତି । ସେପଟେ ହାତୀ ସ୍କୁଆଡ ଦାନ୍ତ ହାତୀର ପିଛା କରି ନଜର ରଖିଛନ୍ତି । ଗୋଟିକିଆ ଦନ୍ତା ହାତୀଟି ପ୍ରଥମେ କନ୍ତୋର ଚଣ୍ଡିକତୈଳାରେ ଆକ୍ରମଣ କରି ଦ୍ରୁତ ବେଗରେ ଯାଇ ଖଇରା ସାହି ପରେ ବାରିହାପୁର ରେ ଆକ୍ରମଣ କରିଥିଲା ।