ଆନନ୍ଦପୁୁର/ହାଟଡିହି,୨୫।୧(ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ଜମିବାଡ଼ି ବିବାଦରୁ ରବିବାର ସନ୍ଧ୍ୟାରେ ଟ୍ରିପଲ ମର୍ଡର ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ, ଭାଇ ବୋହୂ ଓ ଝିଆରୀଙ୍କୁ ହାଣି ହତ୍ୟା କରାଯାଇଛି। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ (୪୫), ଜିତେନ୍ଦ୍ରଙ୍କ ସ୍ତ୍ରୀ ମାଳତୀ ସୋରେନ (୩୫) ଓ ତାଙ୍କ ଝିଅ ସସ୍ମିତା ସୋରେନ(୧୫)। ଘଟଣାରେ ଜିତେନ୍ଦ୍ରଙ୍କ ବଡ଼ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
ପୋଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନ ଓ ସାନ ଭାଇ ଜିତେନ୍ଦ୍ରଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନ ଧରି କହଳ ଲାଗି ରହିଥିଲା। ଅନେକ ସମୟରେ ୨ ପରିବାର ମଧ୍ୟରେ ମାରପିଟ୍ ହେବା ସହ ପରବର୍ତ୍ତୀ ସମୟରେ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି। ରବିବାର ସନ୍ଧ୍ୟା ୭ଟାରେ ପୂର୍ବ ଘଟଣାକୁ ନେଇ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଜିତେନ୍ଦ୍ରଙ୍କ ବଡ଼ ଭାଇ ଲକ୍ଷ୍ମଣ, ଅନ୍ୟଜଣେ ଭାଇ ବୈଦ୍ୟନାଥ ସୋରେନ ଓ ତାଙ୍କ ପୁତୁରା ତଥା ବୈଦ୍ୟନାଥ ପୁଅ ମିଳିତ ଭାବେ ଜିତେନ୍ଦ୍ର, ମାଳତୀ ଏବଂ ସସ୍ମିତାଙ୍କୁୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଜିତେନ୍ଦ୍ରଙ୍କ ଅନ୍ୟ ୨ ଝିଅ ପ୍ରାଣ ବଞ୍ଚାଇ ଦୌଡ଼ି ପଳାଇବାରୁ ସେମାନଙ୍କ ଜୀବନ ବଞ୍ଚତ୍ୟାଇଛି। ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ କରିବା ସହ ଲକ୍ଷ୍ମଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଡିଏସ୍ପି କମଳ ପଣ୍ଡା ସୂଚନା ଦେଇଛନ୍ତି। ଜମିବାଡ଼ି ବିବାଦରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଘଟଣା ସ୍ଥଳରେ ଆନନ୍ଦପୁର ଓ ଘଷିପୁରା ଥାନା ଅଧିକାରୀ ତଦନ୍ତ କରୁଥିବାବେଳେ ସୋମବାର ମୃତଦେହକୁ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।