ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ: ରାତି ପାହିଲେ ସୁନାବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେବୀ ଆଡ଼ପ ମଣ୍ଡପ ଛାଡ଼ି କର୍ମବେଦୀ ଶ୍ରମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ଗଡ଼ିଛି ଦାରୁବିଗ୍ରହଙ୍କ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଦ୍ଧାରିତ କରାଯାଇଥିବା ନୀତି କ୍ରାନ୍ତିର ଯଥେଷ୍ଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା, ନୃତ୍ୟ ସଙ୍ଗୀତ ମଧ୍ୟରେ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ପ୍ରଥମେ ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ବେଳେ ପରେ ମା’ ସୁଭଦ୍ରାଙ୍କ ରଥ ସିଂହଦ୍ୱାରରେ ଲାଗିଥିଲା। ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।

ରଥତ୍ରୟ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ଠାକୁରମାନଙ୍କୁ ପୋଡ଼ପିଠା ଭୋଗ କରାଯାଇଥିଲା। ପୋଡ଼ ପିଠା ଭୋଗ ଖାଇ ଠାକୁରମାନେ ଶ୍ରୀମନ୍ଦିର ଆଡ଼କୁ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଥିଲା। ଏହାପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ପହଞ୍ଚି ଥିଲା। ତେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ରାଜନହର ନିକଟରେ କିଛି ସମୟ ପାଇଁ ଅଟକି ରହିଥିଲା। ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଚାହାଣୀ ମଣ୍ଡପକୁ ଆସି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ପରେ ପାଲିଙ୍କିରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀନହରଠାରେ ଅଟକିଥିବା ନନ୍ଦିଘୋଷ ନିକଟକୁ ଆସିଥିଲେ। ସେଠାରେ ଗଜପତି ମହାରାଜ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ କରିଥିଲେ। ନୀତି ସମ୍ପନ୍ନ କରି ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ପୁଣି ଗଡ଼ି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା।

ରବିବାର ମହାପ୍ରଭୁ ରଥ ଉପରେ ସୁନାବେଶରେ ଦର୍ଶନ ଦେବେ। ସୁନାବେଶରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ଏବଂ ଜିଲା ପ୍ରଶାସନର ସମନ୍ବୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶନିବାର ପାଗ ଅନୁକୁଳ ଥିବା ଯୋଗୁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୨ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା।

Share