ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ମୋଟ ୩୦ କୋଟି ଟଙ୍କାର ବ୍ୟବସାୟ କରି ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।
ଚଳିତ ବର୍ଷ ମେଳାରେ ରେକର୍ଡ ୪୦୦ଟି ଷ୍ଟଲ୍ ପଡ଼ିଥିଲା। ଏଥିରେ ପାରମ୍ପରିକ ଖାଦ୍ୟର ମଜା ନେବା ପାଇଁ ଏକ ବିଶାଳ ‘ଫୁଡ୍ କୋର୍ଟ’ ମଧ୍ୟ ରହିଥିଲା। ରାଜ୍ୟର ବିଭିନ୍ନ ସିନେମା ହଲ୍ରେ ପ୍ରଚାର ଭିଡିଓ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା, ଫଳରେ ୫ ଲକ୍ଷରୁ ଅଧିକ ପରିଦର୍ଶକ ମେଳା ବୁଲିବା ସହ ଗ୍ରାମୀଣ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ନୂତନ ଉଦ୍ୟୋଗୀଙ୍କ ପାଇଁ ବ୍ୟବସାୟିକ ଅଭିବୃଦ୍ଧି ଓ ମାର୍କେଟିଂ ଉପରେ ଦୈନିକ କର୍ମଶାଳା ଆୟୋଜିତ ହୋଇଥିଲା।ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ‘କିଡ୍ସ ଜୋନ୍’ ଏବଂ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏକ ଆଧୁନିକ ‘ଫ୍ୟାଶନ ଶୋ’ ଆୟୋଜିତ ହୋଇଥିଲା। ମକର ସଂକ୍ରାନ୍ତି ଅବସରରେ ଓରମାସ (ORMAS) ପକ୍ଷରୁ ଆୟୋଜିତ ରଙ୍ଗବେରଙ୍ଗର ‘ଗୁଡ଼ି ଶୋ’ ପରିଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।
ମେଳାରେ ଜିଆଇ (GI) ଟ୍ୟାଗ୍ ପ୍ରାପ୍ତ ସାମଗ୍ରୀ ଏବଂ ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରୋଡକ୍ଟ’ (ODOP) ସାମଗ୍ରୀକୁ ପ୍ରାଥମିକତା ଦିଆଯାଇଥିଲା। ଏହାଦ୍ୱାରା ଗ୍ରାମୀଣ କାରିଗରମାନେ ନିଜ କଳାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ମେଳା ପରିସରରେ କରାଯାଇଥିବା ସୁନ୍ଦର ରାସ୍ତା ଚିତ୍ର ଏବଂ ବାଲୁକା କଳା ଉତ୍ସବର ପରିବେଶକୁ ଆହୁରି ଦ୍ୱିଗୁଣିତ କରିଥିଲା।
ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ପାଇକ ଆଖଡ଼ା, ସମ୍ବଲପୁରୀ ଲୋକନୃତ୍ୟ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରଙ୍କ ପ୍ରଦର୍ଶନ କରିଥିଲେ।

