କେନ୍ଦ୍ରୀୟ ଡେପୁଟେଶନରେ ଯିବେ ଏହି IAS ସ୍ବାମୀ-ସ୍ତ୍ରୀ: ୩ ସପ୍ତାହ ମଧ୍ୟରେ ରିଲିଭ୍‌ ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୦।୯(ସୁନିତ୍‌ ମିଶ୍ର):ରାଜ୍ୟରୁ ଓଡ଼ିଶା କ୍ୟାଡରର ଆଉ ଦୁଇ ଜଣ ଆଇଏଏସ୍‌ ଅଫିସର୍‌ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସ୍ବାଧା ହେଉଛନ୍ତି ସମର୍ଥଙ୍କ ସ୍ତ୍ରୀ। ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କୁ ୩ ସପ୍ତାହ ଭିତରେ ରିଲିଭ କରିବା ଲାଗି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛି। ସମର୍ଥ ଏବଂ ସ୍ବାଧାଙ୍କୁ ୩ ଦିନ ବ୍ୟବଧାନରେ କେନ୍ଦ୍ରରେ ନିଯୁକ୍ତି ମିଳିଛି। ସମର୍ଥ ବର୍ମା ଏବେ ରାଜ୍ୟ ସରକାରରେ ମାଇନର ମିନେରାଲ୍ସ ନିର୍ଦ୍ଦେଶକ ଓ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ସମର୍ଥ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦାୟିତ୍ୱ ନେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଦିଆ ନ ଯିବା ଯାଏ ପାଇଥିବା ଦାୟିତ୍ୱ ତୁଲାଇବେ। ସେହିପରି ସ୍ବାଧାଦେବ ସିଂ ଏବେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଓ ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗତ ୨୬ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରେ ଜନଗଣନା ନିର୍ଦ୍ଦେଶକ/ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦରେ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏହାପରେ କେନ୍ଦ୍ରୀୟ ଷ୍ଟାଫିଂ ସ୍କିମ୍‌ ଅଧୀନରେ ଅନୁମୋଦିତ ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇପାରିବ ବୋଲି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ରାଜ୍ୟରୁ କିଛିମାସ ମଧ୍ୟରେ କେତେଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର୍‌ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। କିଛିଦିନ ତଳେ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍‌ ଅଫିସର ଶାଳିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେଶନରେ ଯିବା ନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।