ଭଦ୍ରକ,୧୦ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସୋମବାର ଅପରାହ୍ନରେ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ମନ୍ଦିରକୁ ନେଇ କିପରି ଚୋରି କରିଥିଲେ ସେ ବିଷୟରେ ପଚାରିଥିଲେ। ଏହି ସମୟରେ ଚୋରି କରିଥିବା ଯୁବକ ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି। ଚୋରି କରିଥିବା ରାତିରେ ଛାତିଥରା ଅନୁଭୂତି ପୋଲିସ ଆଗରେ ବଖାଣିଥିଲେ ଉଭୟେ। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଗିରଫ ହୋଇଥିବା ଯୁବକଙ୍କ କହିବା ମୁତାବକ ଘୋଡ଼ାମେଲଣ ଦେଖିବାକୁ ସେମାନେ ଭଦ୍ରକାଳୀ ନିକଟସ୍ଥ ଆହାରପଦା ମହାରଣା ସାହିର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ରାତିରେ ଘୋଡ଼ା ମେଲଣ ଦେଖିବା ବେଳେ ମନ୍ଦିର ହୁଣ୍ଡିରେ ଲୋକମାନେ ଟଙ୍କା ପକାଉଥିବା ଦେଖି ଚୋରି କରିବାକୁ ଯୋଜନା କରିଥିଲେ। ଜଣେ ଯୁବକ ମନ୍ଦିରର ପଛପାଖ ଗେଟ୍ ପାଖରେ ରହିଥିବା ବେଳେ ଅନ୍ୟ ଜଣେ ଗେଟ୍ ଚଢ଼ି ଭିତରକୁ ଯାଇଥିଲେ। ପ୍ରଥମେ ମା’ଙ୍କ କୋଠ ଘର ଆଲମିରା ତାଲା ଭାଙ୍ଗିଥିଲେ। ସେହି ସମୟରେ କେହି ଆସିବା ପରି ଜଣାପଡ଼ିବା ସହ ପାଉଁଜିର ଛମ ଛମ ଶବ୍ଦ ଶୁଭିଥିଲା। ଲାଇଟ୍ ଦପ୍ ଦପ୍ ହୋଇଥିଲା। ଏଥିରେ ଭୟଭୀତ ହେବା ସହ ତାଙ୍କ ଛାତି ଥରି ଉଠିଥିଲା। ସେଥିପାଇଁ ମା’ଙ୍କ ଅଳଙ୍କାରକୁ ଛାଡ଼ି ପଳାଇ ଆସିଥିଲେ। ବାହାରେ ଥିବା ସହଯୋଗୀ ଯୁବକଙ୍କୁ ଡାକିବାରୁ ସେ ଶୁଣି ନ ଥିଲେ। ଶେଷକୁ କେବଳ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ମା’ଙ୍କ ଲୁଗାରେ ବାନ୍ଧି ଗେଟ୍ ଉପରେ ଚଢ଼ି ବାହାରକୁ ବାହାରି ଆସିଥିଲେ। ବାହାରକୁ ଆସିବା ପରେ ଏକ ବିରାଟ ଛାଇ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଏଥିରେ ଭୟଭୀତ ହୋଇ ଉଭୟେ ଦୌଡ଼ି ପଳାଇବା ବେଳେ କିଛି ଟଙ୍କା ସେଠାରେ ଗଳି ପଡ଼ିଥିଲା ବୋଲି କହିଥିଲା। ସେମାନଙ୍କ ଏହି ଛାତିଥରା ଅନୁଭୂତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି।
ପ୍ରକାଶଥାଉ କି, ଚୋରି ନେଇ ମନ୍ଦିର ଟ୍ରଷ୍ଟି ଉପଜିଲାପାଳଙ୍କ ଅଭିଯୋଗକ୍ରମେ ମାମଲା(ନଂ. ୨୮୩/୨୬) ରୁଜୁ ହୋଇଥିଲା। ଏନେଇ ଏସ୍ପି ମନୋଜ ରାଉତ କହିଛନ୍ତି ମା’ ଭଦ୍ରକାଳୀ ସ୍ଥାନୀୟ ଲୋକଙ୍କ ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏହି ଚୋରି ବାହାର ଲୋକ କରିଥିବେ। ଏହି ଆଧାରରେ ତଦନ୍ତ କରାଯାଇ ଗଦି ସାମନ୍ତରାୟପୁରରର ୨ଯୁବକ ଆହାରପଦା ମହାରଣା ସାହିରେ ଗତ ୩/୪ ଦିନ ପୂର୍ବରୁ ରହିଥିଲେ। ସେମାନଙ୍କ ହାବଭାବ ସନ୍ଦେହଜନକ ଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଥିଲା। ପରେ ୨ ଯୁବକ ଦୀପୁନ ବେହେରା ଓ ସିପୁନ ବାରିକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚୁରା କରିଥିଲା। ପରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ।