ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର କମ୍ପାନୀକୁ ଗ୍ରାମବାସୀ ସୋମବାର ଫେରାଇ ଦେଇଥିବା ଜଣାପଡ଼ିଛି। ଏହା ପରେ ନାଲ୍‌କୋ କମ୍ପାନୀର ଚିନ୍ତା ବଢ଼ାଇଥିବା କୁହାଯାଉଛି।

ସୂଚନାନୁଯାୟୀ, ଏହି ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼ରୁ ଖଣି ଖନନ ନେଇ ନାଲ୍‌କୋ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଏକ ଘରୋଇ କମ୍ପାନୀକୁ ଦିଆଯାଇଛି। ଏହାକୁ ବିପକ୍ଷବାଦୀଙ୍କ ପକ୍ଷରୁ ବିକ୍ଷୋଭ କରି ପ୍ରତିବାଦ କରାଯାଉଛି। ଏହି ରାସ୍ତା ନିର୍ମାଣ ପୂର୍ବରୁ ଶୁକ୍ରବାର ଏହି କମ୍ପାନୀ ପୋଲିସର ସହାୟତାରେ ଭୂମିପୂଜା କରିବାକୁ ଆସିଥିଲା। ଏହାକୁ ଗ୍ରାମବାସୀ ଅଟକାଇଥିଲେ। ୨ ପଞ୍ଚାୟତର ୬ କ୍ଷତିଗ୍ରସ୍ତ ଗ୍ରାମବାସୀ ଏକତ୍ର ହୋଇ ବିରୋଧ କରିବା ସହ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଏହା ପରେ ଠିକାଦାର କମ୍ପାନୀ ଓ ପ୍ରଶାସନ ଫେରି ଯାଇଥିଲେ। ସୋମବାର ପୁଣି କମ୍ପାନୀ ପକ୍ଷରୁ ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି। ମାଳିପୁଟ ପଞ୍ଚାୟତ ସରପଞ୍ଚ ସୋମନାଥ ଗୁଣ୍ଠାଙ୍କୁ ଘଟଣାସ୍ଥଳକୁ ଡକାଇ କମ୍ପାନୀ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସରପଞ୍ଚ ଗୁଣ୍ଠା ଘଟଣାସ୍ଥଳରେ ପହଞ୍ଚି କମ୍ପାନୀ କର୍ମଚାରୀଙ୍କୁ କାହା ଅନୁମତି ନେଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛ ବୋଲି ପ୍ରଶ୍ନ କରିଥିଲେ। ସରପଞ୍ଚ ହିସାବରେ ମୋ ବିନା ଅନୁମତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବିଶୃଙ୍ଖଳା କରୁଛ ବୋଲି କହି ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ଏହା ପରେ କମ୍ପାନୀ କର୍ମଚାରୀ ନିରାଶ ହୋଇ ଫେରିଯାଇଥିଲେ।

Dharitri – Odisha’s No.1 Odia Daily

Share