ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ରବିବାର ସକାଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବୋରୋସାହି ପଞ୍ଚାୟତ ଖମାର ଗ୍ରାମର ଖ୍ରୀଷ୍ଟଧର୍ମି ଦଳିତ ପରିବାରର ବିପିନ ବିହାରୀ ନାଏକ ଏବଂ ତାଙ୍କ ସ୍ତ୍ରୀ ବନ୍ଦନା ନାଏକ ହିନ୍ଦୁ ଧର୍ମର ଲୋକମାନଙ୍କୁ ଏକାଠି କରି ଧର୍ମ ପରିବର୍ତନ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରବର୍ତ୍ତାଉଥିଲେ। ଏହା ଜାଣିପାରି ପରଜଙ୍ଗ ଗ୍ରାମର କିଛି ଯୁବକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ ସେଠାରେ ଶତାଧିକ ଗ୍ରାମବାସୀ ପହଞ୍ଚିଯିବା ପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ବିପିନଙ୍କୁ ଲୋକେ କାବୁକରି ଗ୍ରାମ ଚଉପାଢିକୁ ନେଇଥିଲେ। ଖବର ପାଇ ଏସ୍ଆଇ ଦେବଗ୍ରାହୀ ମହାନ୍ତି ଓ ପୋଲିସ କର୍ମଚାରୀ ପହଞ୍ଚି ବିପିନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।
ବିପିନ ସ୍ବୀକାର କରିଛନ୍ତି କି , ଦୀର୍ଘ ୮ ବର୍ଷ ଧରି କନ୍ଦରସିଂହା ଗ୍ରାମରେ ପରିବାର ସହ ଘର ଭଡ଼ା ନେଇ ରହୁଛନ୍ତି ଏବଂ ପରଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ହିନ୍ଦୁମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖ୍ରୀଷ୍ଟିୟନ ଧର୍ମ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କନ୍ଦରସିଂହା, କଟରାପଡ଼ା, କୁମୁସି, ରୋଡ, କୁନ୍ଦନଦେଇପୁର ଅଞ୍ଚଳରୁ ଶତାଧିକ ପରିବାର ଖ୍ରୀଷ୍ଟଧର୍ମ ପରିବର୍ତ୍ତନ କରିଥିବା ସୂଚନା ଦେଇଛନ୍ତି । ପରଜଙ୍ଗରେ ପ୍ରାର୍ଥନା ଚାଲିଥିବା ବେଳେ ଏହାକୁ ନେଇ ପରଜଙ୍ଗ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଛି।