ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର ଅଞ୍ଚଳର ଅଶୋକ କୁମାର ମିଶ୍ର ଓ ସୁରେଖା ମିଶ୍ରଙ୍କ ନାତୁଣୀ ତଥା ମା-ବାପା ଛେଉଣ୍ଡ ମୃତା ନାବାଳିକା ସାଇଶ୍ରଦ୍ଧା ମିଶ୍ର(୧୫)। ସେ ତାଙ୍କ ଜେଜେମା-ଜେଜେଙ୍କ ନିକଟରେ ରହି ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି।

ତେବେ ତାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ମାମୁ-ମାଇଁ ମୁହଁ ଖୋଲିଛନ୍ତି। ସେମାନେ କହିଛନ୍ତି, ସମ୍ପତ୍ତି ଲୋଭରେ ଜେଜେମା-ଜେଜେ ଏବଂ ପିଉସୀ ହତ୍ୟା କରିଛନ୍ତି। ମାମୁ କହିଛନ୍ତି, ୨୦୧୭ରେ ଆମ ଭଉଣୀ ଅର୍ଥାତ୍‌ ସାଇଶ୍ରଦ୍ଧାଙ୍କ ମା’ଙ୍କୁ ମଧ୍ୟ ମାରି ଆତ୍ମହତ୍ୟା ରୂପ ଦେଇଥିଲେ ପରିବାର ଲୋକେ।
ମା’ର ହତ୍ୟାକୁ ଝିଅ ଦେଖି ଥିବାରୁ କୋର୍ଟରେ ଦୋଷୀ ହେବାର ଆଶଙ୍କା ଥିଲା। ଭାଣିଜୀକୁ ୧୮ ପୂରିଥିଲେ ସମ୍ପତ୍ତିର ଅଧିକାର ପାଇବାକୁ ଥିବାରୁ ମଧ୍ୟ ହତ୍ୟା କରାଯାଇଛି ବୋଲି ମାମୁଘର ଲୋକେ ଅଭିଯୋଗ ଆଣିଛନ୍ତି। ମାମୁ ଅସୀତ କୁମାର ନନ୍ଦକେବଳ ମୌଖିକ ଅଭିଯୋଗ କରିଛନ୍ତି। ଏତଲା ଦେଇ ନାହାନ୍ତି। ତେବେ ପୋଲିସ ପ୍ରାଥମିକ ସ୍ତରରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରୁଛନ୍ତି। ନିକଟରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି ବୋଲି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୂ କହିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟତା ଜଣାପଡ଼ିବ।

ଅନ୍ୟପକ୍ଷରେ ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାବାଳିକାଙ୍କ ପିଉସୀ। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ପୋଲିସ ତଦନ୍ତକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ଦୀର୍ଘବର୍ଷ ପୂର୍ବେ ଅଶୋକଙ୍କ ଏକମାତ୍ର ପୁଅ ଗଙ୍ଗା ପ୍ରସାଦଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତା’ର କିଛି ବର୍ଷ ପରେ ତାଙ୍କ ବୋହୂ ଅର୍ଥାତ ମୃତ ନାବାଳିକାଙ୍କ ମା’ମଧ୍ୟ ଆତ୍ମହତ୍ୟା କରିଥିଲେ। ପୁଣି ବର୍ତ୍ତମାନ ସାଇ ଶ୍ରଦ୍ଧା ମିଶ୍ରଙ୍କ ମୃତ୍ୟୁ ଖବର ସମଗ୍ର ସହରରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସ୍ଥାନୀୟ ଲୋକେ ବୁଧବାର ସକାଳେ ଶାନ୍ତିନଗର ଏକ ଡ୍ରେନ୍‌ରେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କ ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପରିବାର ଲେକ ତାଙ୍କୁ ଘର ସମ୍ମୁଖ ଡ୍ରେନରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ନାବାଳିକାଙ୍କ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ଘଟଣାର ତଦନ୍ତ କରୁଛି। ସେହିପରି ବୁର୍ଲାରେ ବ୍ୟବଚ୍ଛେଦ ପରେ ନାବାଳିକାଙ୍କ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Dharitri – Odisha’s No.1 Odia Daily