ବାହାନଗା,୨୩। ୨(ଅରୂପ କୁମାର ଦାସ ):ମାଟ୍ରିକ ପରୀକ୍ଷାର ୪ର୍ଥ ଦିନ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଦଶମ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେହିପରି ସଂସ୍କୃତ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏକସମୟରେ ପରୀକ୍ଷା କରାଯାଉଛି। ସୋମବାର ସଂସ୍କୃତ ଛାତ୍ରୀଛାତ୍ର ମାନଙ୍କର ସାହିତ୍ୟ ପରୀକ୍ଷା ହୋଇଥିଲା। ତେବେ ବାହାନଗା ବ୍ଲକ ଗୋପାଳପୁର ପିଏମଶ୍ରୀ ମଣିଭଦ୍ର ସରକାରୀ ବିଦ୍ୟାଳୟରେ ଜଣେ ନକଲି ସଂସ୍କୃତ ପରୀକ୍ଷାର୍ଥୀ ଧରା ପଡି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଏହି ବିଦ୍ୟାଳୟକୁ ବାଲେଶ୍ୱରସ୍ଥିତ ବାହାର୍ଦ୍ଧ ମାନସ ନଗର ସଂସ୍କୃତ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମାଟ୍ରିକ୍ ପରୀକ୍ଷା ନିମନ୍ତେ ସେଣ୍ଟର ହୋଇଛି।
ଏ ନେଇ ଉକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ପିଏମଶ୍ରୀ ମଣିଭଦ୍ର ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସନ୍ତି। ସୋମବାର ସଂସ୍କୃତ ଛାତ୍ରୀଛାତ୍ରମାନଙ୍କର ସାହିତ୍ୟ ପରୀକ୍ଷା ଥିଲା। ତେବେ ବାହାର୍ଦ୍ଧ ମାନସନଗର ସଂସ୍କୃତ ବିଦ୍ୟାଳୟର ଛାତ୍ର ସୁଶାନ୍ତ କୁମାର ବେହେରା କୌଣସି କାରଣରୁ ପରୀକ୍ଷା ଦେବାକୁ ଆସିପାରି ନ ଥିଲେ। ମାତ୍ର ତାଙ୍କ ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ବସିଥିଲେ ନକଲି ପରୀକ୍ଷାର୍ଥୀ ନୂଆପୁର ଗ୍ରାମର ବିଷ୍ଣୁପ୍ରସାଦ ମଲ୍ଲିକ। ପରୀକ୍ଷା ଆରମ୍ଭ ପୂର୍ବରୁ ବିଦ୍ୟାଳୟର ଗାର୍ଡ ପଡିଥିବା ଜଣେ ଶିକ୍ଷକ ଦସ୍ତଖତ କରିବା ବେଳେ ନକଲି ପରୀକ୍ଷାର୍ଥୀ ଭୁଲରେ ପ୍ରକୃତ ଛାତ୍ର ନାମ ସ୍ଥାନରେ ନିଜ ନାମକୁ ଲେଖିଥିଲେ। ସେଠାରୁୁ ଧରାପଡ଼ିଥିଲେ ନକଲି ପରୀକ୍ଷାର୍ଥୀ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତଥା କେନ୍ଦ୍ର ସୁପରିଟେଣ୍ଡେଣ୍ଟ କିରଣବାଳା ମଲ୍ଲିକଙ୍କ ସହିତ ଆଲୋଚନା ପରେ ଗୋପାଳପୁର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ନକଲି ପରୀକ୍ଷାର୍ଥୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି।
Dharitri – Odisha’s No.1 Odia Daily