ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ଅଭାବନୀୟ ଘଟଣା ଘଟିଛି। କଲୋନୀରେ ରହୁଥିବା କୁମାରୀ ସେଠୀ(୫୮) ଏବଂ ତାଙ୍କ ଦୁଇ ଅବିବାହିତ କନ୍ୟା ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ କିଛି ଦୁର୍ବୃତ୍ତ ବେକ ଓ କାନ କାଟି ହତ୍ୟା ଉଦ୍ୟମ କରିଛନ୍ତି।
ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସ୍ବର୍ଗତ ପାଣ ସେଠୀଙ୍କ ସ୍ତ୍ରୀ କୁମାରୀ ତାଙ୍କ ଦୁଇ ଝିଅ ସହ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘରର କବାଟ ବାଡ଼ାଇ ଥିଲେ। କୁମାରୀ କବାଟ ଖୋଲିବା ପରେ ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ଅତର୍କିତ ଭାବେ ଏକ ଧାରୁଆ ଛୁରିରେ ତାଙ୍କ ବେକକୁ କାଟି ଦେଇଥିଲେ। ଦୁଇ ଝିଅ ନିଦରୁ ଉଠି ମା’ କୁ ଉଦ୍ଧାର କରିବା ବେଳେ ସେ ଦୁହିଁଙ୍କ ବେକକୁ ମଧ୍ୟ ଛୁରିରେ କାଟି ବାଇକ ଯୋଗେ ଚମ୍ପଟ ମାରିଥିଲେ। ମା’ ଓ ଦୁଇ ଝିଅଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଝିଲିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ରହସ୍ୟଜନକ ହତ୍ୟା ଉଦ୍ୟମ ଘଟଣାର କାରଣ ଜଣାପଡିନାହିଁ।
Dharitri – Odisha’s No.1 Odia Daily