ବାଲେଶ୍ୱର,୧୦।୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଅରଡବଜାର ଗଉଡ଼ସାହି ନିକଟରେ ଚଢ଼ାଉ କରାଯାଇ ଦମ୍ପତି ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୬୮ ଗ୍ରାମ ବ୍ରାଉନସୁଗର, ବୁଲେଟ ମୋଟରସାଇକେଲ, ମୋବାଇଲ ଜବତ ହୋଇଥିଲା l ଗିରଫ ଅଭିଯୁକ୍ତ ହେଲେ ଗଳାପୋଲ ଅଞ୍ଚଳର ସେକ ସାହିଦ ଓ ସ୍ତ୍ରୀ ମମତା ସୋରେନ ।ଚଢ଼ାଉ ବେଳେ ବ୍ରାଉନସୁଗର ବେପାରୀଙ୍କୁ ଖସାଇନେବାକୁ ଉଦ୍ୟମ କରି ସେଠାକାର ମହିଳା, ପୁରୁଷ ପୋଲିସ ଉପରକୁ ଟେକା, ଢେଲା ମାଡ କରିଥିଲେ । ଫଳରେ ୩ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ପୋଲିସଙ୍କୁ ଆକ୍ରମଣ ଘଟଣାରେ ଏକ ମାମଲା ନଂ ୧୬/୨୬ ରୁଜୁ ହୋଇ ତଦନ୍ତ ଜାରି ରହିଥିଲା । ଆକ୍ରମଣ ଘଟଣାକୁ ନେଇ ପୋଲିସ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯାଇଛି l ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ବିରଞ୍ଚି ସାହୁ, ଏସଆଇ ଅରବିନ୍ଦ ପାଣିଗ୍ରାହୀ ଓ ଅଭିଷେକ ସାମନ୍ତରାୟ ପ୍ରମୁଖ ଶନିବାର ସଦଳବଳେ ଉକ୍ତ ବସ୍ତି ନିକଟରେ ଚଢ଼ାଉ କରି ୩୦ରୁ ଊର୍ଦ୍ଧ୍ୱ ମହିଳା, ପୁରୁଷଙ୍କୁ ଉଠାଇଆଣି ଥାନାରେ ଅଟକ ରଖିଛି।