ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଦୁଇ କୁଖ୍ୟାତ ମାଓବାଦୀ ଟଳି ପଡ଼ିଛନ୍ତି। ତୁମୁଡିବନ୍ଧ ବ୍ଲକ ବେଲଘର ପେଡମ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି। ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ପେଡମ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଏବଂ ପୋଲିସକୁ ଗୋଇନ୍ଦା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସାଦା ପୋଷାକରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଯାହାର ଦୃଢ଼ ଜବାବ ସୁରକ୍ଷାକର୍ମୀ ଦେଇଥିଲେ। ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡ଼ିଛି। ଉଭୟଙ୍କ ମୁଣ୍ଡ ପାଇଁ ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ଏନ୍କାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।