ଭୁବନେଶ୍ୱର, ୨୧।୧(ସୁନିତ୍ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। କେତେବେଳେ ବିଧାୟକମାନଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ତ ଆଉ କେତେବେଳେ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡାକି କଥା ହେଉଛନ୍ତି। ନବୀନ ନିବାସ ଭିତରୁ ବାରମ୍ବାର ଡକରା ମିଳିବା ପରେ ହାତଗଣତି କେତେଜଣ ନେତା ବର୍ତ୍ତମାନ କୁତୁକୁତୁ ହୋଇପଡ଼ିଛନ୍ତି। ଯେତେବେଳେ ସେମାନେ ନବୀନ ନିବାସରେ ପଶୁଥିବାର ଭିଡିଓ ଏବଂ ଫଟୋ ଗଣମାଧ୍ୟମରେ ଦେଖୁଛନ୍ତି ଖୁସିରେ ଫାଟି ପଡୁଛନ୍ତି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ରାଜ୍ୟ ରାଜନୀତିରେ ଏବଂ ନିଜ ନିର୍ବାଚନମଣ୍ଡଳୀ ବା ଜିଲାରେ ଏକାଧିକ ଥର ନିର୍ବାଚନ ଲଢି ବିଜୟୀ ହେଉଥିବା ଅନେକ ଚେହେରା ବର୍ତ୍ତମାନ ଦଳରେ ଅଲୋଡ଼ା ହୋଇପଡିଛନ୍ତି। ରାଜ୍ୟରେ ଏଭଳି ଉଦାହରଣ ଦେଖିଲେ ଅନେକଙ୍କ କଥା ଉଲ୍ଲେଖ କରାଯାଇପାରିବ।
ସୂଚନାଯୋଗ୍ୟ, ନବୀନ ବିଜେଡିର କେତେଜଣ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲିକ ଏବଂ ଦେବୀ ମିଶ୍ରଙ୍କ ସହିତ ମଙ୍ଗଳବାର ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ନିକଟରେ ଦଳରୁ ୨ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧରେ କାହିଁକି କେହି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି କୁଆଡ଼େ ନବୀନ ପଚାରିଥିଲେ। ତେବେ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି, ବାଲେଶ୍ୱର ଜିଲା ସେକ୍ ମକାନ୍ଦର ମହମ୍ମଦଙ୍କୁ ବାଡ଼େଇ ମାରିଦିଆଯାଇଥିବା ଘଟଣାକୁ ନେଇ ନବୀନ ଉଦ୍ବେଗ ପ୍ରକାଶକଲେ। ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ ହତ୍ୟା କରାଯାଉଛି। ଏ ସମ୍ପର୍କରେ ନବୀନ ଜାଣିବାକୁ ଚାହିଁଥିଲେ ବୋଲି ସଞ୍ଜୟ କହିଛନ୍ତି। ରାଜନୈତିକ ମହଲରେ ହେଉଥିବା ଆଲୋଚନା ମୁତାବକ, ସଞ୍ଜୟ ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମରେ କହିବାକୁ ନ ଚାହିଁବା ସ୍ବାଭାବିକ। ବିଗତ ଦିନରେ ନବୀନ ମୁମ୍ବାଇରେ ଚିକିତ୍ସାଧୀନ ଥିବାବେଳେ ରାଜ୍ୟର ବହୁ ନେତା ତାଙ୍କୁ ଭେଟିବା ଲାଗି ସେଠାକୁ ଗସ୍ତ କରିଥିଲେ। ହେଲେ ଶେଷରେ ଭିଡିଓ କଲ୍ ଜରିଆରେ ସେମାନେ ସେଠାରେ ନବୀନଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସେଠାରୁ ଫେରି ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ଏବଂ ଦଳର ରାଜ୍ୟ ସଭା ସଦସ୍ୟ ନବୀନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା କଥା କହିଥିଲେ। ହେଲେ ମୁମ୍ବାଇ ଗସ୍ତ କରିଥିବା ବହୁ ନେତା ସତ କଥା କହିବା ପରେ ଗଣମାଧ୍ୟମକୁ ସଞ୍ଜୟ ଓ ମାନସ ଦେଇଥିବା ତଥ୍ୟକୁ ନେଇ ଚର୍ଚ୍ଚା ହେଇଥିଲା।
ଲକ୍ଷ୍ୟ କରାଯାଉଛି, ଦଳର ବହୁ ବରିଷ୍ଠ ନେତା ଯେପରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅରୁଣ କୁମାର ସାହୁ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଅନେକ ନେତା ବର୍ତ୍ତମାନ ବହୁ କାର୍ଯ୍ୟରେ ଲୋଡ଼ା ପଡୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯଦି ଆମେ ପ୍ରସନ୍ନ ଆଚାର୍ଯ୍ୟଙ୍କ କଥା ଆଲୋଚନା କରିବା ସେ ୩ ଥର ଲୋକ ସଭା, ଥରେ ରାଜ୍ୟ ସଭା ଏବଂ ୪ଥର ବିଧାନସଭାକୁ ନିର୍ବାଚିତ ହେଇଛନ୍ତି। ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ୮ଥର ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଧାୟକ ଅରୁଣ କୁମାର ସାହୁ ୨୦୦୪ରୁ ଲଗାତର ଏଯାଏଁ ବିଧାନସଭାକୁ ଜିତି ଆସୁଛନ୍ତି। ଦେଖାଯାଉଛି ୮ଥର, ୫ଥର ଲେଖା ଜିତିଥିବା ନେତାଙ୍କୁ ଦଳ ଲୋଡୁନାହିଁ ବରଂ ଯିଏ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀ ସହ ରହୁଛନ୍ତି ସେମାନଙ୍କୁ ବାରମ୍ବାର ଡକରା ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ଓଡ଼ିଶାରେ ବିରୋଧୀ ଦଳକୁ ଆସିଯାଇଛି। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସମୟରେ ବିଜେଡି ବରିଷ୍ଠ ନେତା ରଣେନ୍ଦ୍ର ଏବଂ ଅରୁଣ ଶାସକ ଦଳକୁ ଶାଣିତ ଢଙ୍ଗରେ ଟାର୍ଗେଟ କରୁଛନ୍ତି। ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ନେଇ ସେମାନେ ଶାସକ ଦଳକୁ ଅନେକ ସମୟରେ କାଠଗଡ଼ାରେ ଠିଆ କରୁଛନ୍ତି। ଦଳରେ ଥିବା ଅନ୍ୟ ଯୁବ ବିଧାୟକମାନେ ମଧ୍ୟ ଏହି ୨ ନେତାଙ୍କଠାରୁ ଅନେକ କିଛି ଜାଣିବାକୁ ଚାହୁଁଥିବା ଲକ୍ଷ୍ୟ କରାଯାଉଛି। ହେଲେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଏମାନଙ୍କୁ ଲୋଡ଼ା ନ ଯିବା ନେଇ ଚର୍ଚ୍ଚା ହେଉଛି। ସେହିପରି ପଶ୍ଚିମ ଓଡ଼ିଶାର ବହୁ ନେତା ବର୍ତ୍ତମାନ ବିଜେଡି ସହ ଆଉ ନାହାନ୍ତି କହିଲେ ଏକ ପ୍ରକାର ଠିକ୍ ହେବ। ନୂଆପଡ଼ା ଜିଲାରେ ଉପନିର୍ବାଚନ ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ସେଠାରେ ନ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ସେ ନୁହନ୍ତି, ଆହୁରି ଅନେକ ପଶ୍ଚିମ ଓଡ଼ଶା ନେତା ଏବେ ଦଳୀୟ ବ୍ୟାପାରଠାରୁ ଦୂରେଇଗଲା ଭଳି ମନେହେଲାଣି। ସେହିପରି ବରିଷ୍ଠ ନେତା ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ରଙ୍କ ଭଳି ବହୁ ନେତା ବର୍ତ୍ତମାନ ଦଳୀୟ ବ୍ୟାପାରରେ ଲୋଡ଼ା ପଡୁନାହାନ୍ତି।