ବାଲେଶ୍ୱର, ୪।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ l ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ ଛାତ୍ରଙ୍କୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି l ଗିରଫ ଛାତ୍ର ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ବିତ ନାୟକ l ଉଭୟଙ୍କୁ ରାତିରେ ବାଲେଶ୍ୱର ଏସଡ଼ିଜେଏମଙ୍କ ଆବାସିକ କାର୍ଯ୍ୟାଳୟରେ ହଜାର କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଦୁହିଁକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ଜ୍ୟୋତି ପ୍ରକାଶ ପୀଡିତା ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ l କଟକ ମେଡିକାଲରେ ଚିକିତ୍ସିତ ହୋଇ କିଛି ଦିନ ପୂର୍ବରୁ ଘରକୁ ଫେରିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା। ଅପରପକ୍ଷରେ ଶୁଭ୍ର ସମ୍ବିତ ଏବିଭିପି ଛାତ୍ର ସଂଗଠନର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି l
ବିଭାଗୀୟ ଏଚଓଡି ସମୀର ସାହୁଙ୍କ ନିର୍ଯାତନାର ଶିକାର ହୋଇଥିଲେ ସୌମ୍ୟାଶ୍ରୀ l ନ୍ୟାୟ ନପାଇ ଗତ ଜୁଲାଇ ୧୨ ତାରିଖରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ସେ ପୋଡି ହୋଇଥିଲେ। ୧୪ ରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ସମ୍ବେଦନଶିଳ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା l
ପୋଲିସ ଏଚଓଡି ସମୀର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l କ୍ରାଇମବ୍ରାଞ୍ଚ , ଉଚ୍ଚ ଶିକ୍ଷା ବିଭାଗର ଏକ ଟିମ ଓ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ କଲେଜରେ ପହଞ୍ଚି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଥିଲେ l ଆତ୍ମାହୁତି ନିମନ୍ତେ ଗିରଫ ଛାତ୍ର ଦ୍ବୟଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଥିବା କୁହାଯାଉଛି l ଛାତ୍ରୀ ଜଣକ ନ୍ୟାୟ ପାଇଁ ଲଢେଇ କରୁଥିବାବେଳେ କିଛି ଛାତ୍ର ଓ ସହଯୋଗୀ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ l ଘଟଣା ଦିନ ସୌମ୍ୟାଶ୍ରୀଙ୍କ ପାଖରେ ରହି ଜ୍ୟୋତି ପ୍ରକାଶ ମୋବାଇଲରେ ଭିଡିଓ ଉତ୍ତୋଳନ କରିବା ସହ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ l