ଭୁବନେଶ୍ୱର, ୧୫।୧୦(ସୁନିତ୍ ମିଶ୍ର):କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦୦ଟି ଦୁର୍ଘଟଣାପ୍ରବଣ ଜିଲାକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲା ରହିଛି। ଓଡ଼ିଶାର ଏହି ୨ ଜିଲାରେ ଘଟୁଥିବା ଦୁର୍ଘଟଣା ଏବଂ ଏଥିଜନିତ ହେଉଥିବା ମୃତ୍ୟୁସଂଖ୍ୟା ଯେଉଁଭଳି ବୃଦ୍ଧି ଘଟୁଛି ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ୨୦୨୪ରେ ଜାନୁଆରୀରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଯେତିକି ଘଟିଥିଲା ୨୦୨୫ ଜାନୁଆରୀରୁ ଜୁଲାଇ ମଧ୍ୟରେ ଘଟିଥିବା ଦୁର୍ଘଟଣାକୁ ତୁଳନାକଲେ ଏଥିରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ଜାନୁଆରୀରୁ ଜୁଲାଇ ମଧ୍ୟରେ ସୁନ୍ଦରଗଡ଼ରେ ୫୩୬ଟି ଦୁର୍ଘଟଣା ଘଟିଥିବା ବେଳେ ୩୦୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୫ ଜାନୁଆରୀରୁ ଜୁଲାଇ ମଧ୍ୟରେ ସୁନ୍ଦରଗଡ଼ରେ ମୋଟ୍ ୪୯୯ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ ଜିଲାରେ ୨୦୨୪ ଜାନୁଆରୀରୁ ଜୁଲାଇ ମଧ୍ୟରେ ୪୯୧ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ ଜାନୁଆରୀରୁ ଜୁଲାଇ ମଧ୍ୟରେ ଗଞ୍ଜାମରେ ୫୫୪ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୮୬ ଜଣଙ୍କ ମୃତ୍ୟୁଘଟିଛି। ୨୦୨୪ ଜାନୁଆରୀରୁ ଜୁଲାଇ ମଧ୍ୟରେ ଗଞ୍ଜାମ ଜିଲାରେ ଘଟିଥିବା ଘଟଣା ସହ ୨୦୨୫ର ଏହି ସମୟ ମଧ୍ୟରେ ଘଟିଥିବା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ତୁଳନାକଲେ ଏଥିରେ ୬ ପ୍ରତିଶତ ବୃଦ୍ଧି ଘଟିଛି।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେଭ୍ ଲାଇଫ୍ ଫାଉଣ୍ଡେଶନ ନାମକ ଏକ ଏନ୍ଜିଓକୁ ଦୁର୍ଘଟଣାପ୍ରବଣ ଜିଲା ଭାବେ ଦେଶରେ ଚିହ୍ନଟ ହୋଇଥିବା ୧୦୦ ଜିଲାରେ ସଡ଼କ ଦୁର୍ଘଟଣା ନିରାକରଣ ପରାମର୍ଶଦାତାଭାବେ ଚୟନ କରିଛି। ଉକ୍ତ ୧୦୦ ଜିଲାରେ କିପରି ଦୁର୍ଘଟଣା ହ୍ରାସ ଘଟିବ ସେଥିଲାଗି ଏହି ଏନ୍ଜିଓ ସଂସ୍ଥା କାର୍ଯ୍ୟ କରିବ। ସେହି କ୍ରମରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲାରେ ଦୁର୍ଘଟଣା ହ୍ରାସ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ମାସ ୨୫ ତାରିଖରେ ସେଭ୍ ଲାଇଫ୍ ଫାଉଣ୍ଡେଶନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ସେଭ୍ ଲାଇଫ୍ ଫାଉଣ୍ଡେଶନ ଏହି ୨ ଜିଲାର ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ଟ୍ରେନିଂ ଦେବେ ଏବଂ ପ୍ରଶିକ୍ଷଣ ପରେ ନିଆଯାଉଥିବା ସମସ୍ତ କାର୍ଯ୍ୟକୁ ମନିଟରିଂକରି ସଡ଼କ ଦୁର୍ଘଟଣା କିପରି ହ୍ରାସ କରାଯାଇପାରିବ ସେ ସମ୍ବନ୍ଧରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily


