ଭଞ୍ଜନଗର,୧୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଓ ଏନ୍ଏସିଏ ପ୍ରାୟ ୧୮୦୦ ଛାତ୍ରୀଛାତ୍ରଙ୍କୁ ଟିଡି ଟିକା ପ୍ରଦାନ କରାଯିବ। ତେଣୁ ଏନେଇ ବିଭିନ୍ନ ବିଦ୍ୟାଳୟ ଓ କଲେଜରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଟିକା ପ୍ରଦାନ କରାଯାଉଛି। ୧୦ ରୁ ୧୬ ବର୍ଷ ଛାତ୍ରୀଛାତ୍ରଙ୍କୁ ଏହି ଟିକା ପ୍ରଦାନ କରାଯାଉଛି। ଏହି ଟିକା ଦିଆଗଲେ ଛାତ୍ରୀଛାତ୍ରଙ୍କୁ ଧନୁଷ୍ଟଙ୍କାର, ଗଳା ସଂକ୍ରମଣ ରୋଗ ହେବ ନାହିଁ। ତେଣୁ ସୋମବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ରଙ୍କୁ ଉକ୍ତ ଟିକା ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାସନିକ ଅଧିକାରୀ ବିଭାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗର ଉପଖଣ୍ଡ ମେଡିକାଲର ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ବିଧୁପମା ସାହୁ, ମନ୍ଦାକିନୀ ବେହେରା ଛାତ୍ରୀଛାତ୍ରଙ୍କୁ ଟିକା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ, ଶାଖା ୨ ଅଧିକାରିଣୀ ସସ୍ମିତା କୁମାରୀ ଦାସ, ଯୁବ ରେଡ୍କ୍ରସ ଅଧିକାରୀ ବିଦେଶୀ ରାଉତ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ଟିକାକରଣ ପୂର୍ବରୁ ଜାତୀୟ ସେବା ଯୋଜନା ଶାଖା ପକ୍ଷରୁ କଲେଜ ପରିସରରେ ଛାତ୍ରୀଛାତ୍ରଙ୍କୁ ଉକ୍ତ ଟିକାର ଆବଶ୍ୟକତା ଓ ଉପକାରିତା ଉପରେ ସଚେତନ କରାଯାଇଥିଲା।
ସୂଚନାଯୋଗ୍ୟ, ଆଜକୁ ୫ ବର୍ଷ ହେବ ଏହି ଟିକା ପ୍ରଦାନ କରାଯାଉଛି।


