ନଦୀରେ ନାହିଁ ବାଲି, ଗଛଲତାରେ ଭରିଗଲାଣି

ଭଞ୍ଜନଗର,୧୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣଯନ୍ତ୍ରୀଙ୍କ ଅଧୀନରେ ଥିବା ଅନେକ ନଦୀରେ ଗଛ ପୂର୍ଣ୍ଣ ହୋଇଯାଉଛି। ବର୍ଷବର୍ଷ ଧରି କାଶତଣ୍ଡୀ ଫୁଲର ମୂଳ ନଦୀରେ ରହୁଛି। ଯେଉଁଠି ଫୁଲଗଛ ରହୁଛି ସେଠି ମାଟି ଉଚ୍ଚ ହୋଇ ରହୁଛି। ଏହାଦ୍ବାରା ବର୍ଷା ଋତୁରେ ନଦୀରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ନଦୀ ଆଡିବନ୍ଧ ଭାଙ୍ଗି ବନ୍ୟା ପରିସ୍ଥିତି ଉପୁଜିଛି। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି। କାଶତଣ୍ଡୀ ଗଛ ପାଇଁ ନଦୀରେ ବାଲି ବଦଳରେ ଲଟା ବୁଦା ଭରିଗଲାଣି। ବେଲଗୁଣ୍ଠା ବ୍ଲକ ନୂଆଗାଁଠାରେ ବଡ଼ ନଦୀରେ ଲଟାବୁଦା ଭରି ରହିଛି। ସେହିଭଳି ଭଞ୍ଜନଗର ସହରକୁ ସଂଯୋଗ କରୁଥିବା ଦୁଇଟି ଯାକ ସେତୁ ନିକଟରେ କାଶତଣ୍ଡୀ ପାଇଁ ଲଟା ବୁଦା ହୋଇ ନଦୀଟି ରହିଛି। ଏଥିସହ ଅନ୍ୟାନ୍ୟ ନଦୀରେ ମଧ୍ୟ ଏହିଭଳି ସମସ୍ୟା ରହିଛି। ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡର ସମସ୍ତ ନଦୀ ଶୁଖିଲା ପଡ଼ିଛି। ନଦୀ ଶୁଖିଲା ପଡ଼ିଥିବା ସମୟରେ ତାହାକୁ ସଫା କରାଯାଉନାହିଁ। ବର୍ଷା ଦିନେ ସମସ୍ୟା ସୃଷ୍ଟି କରୁଛି। ଏହା ଏକ ଗୁରୁତର ସମସ୍ୟା ହୋଇଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏହାର ନିରାକରଣ ପାଇଁ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହିଁ। ତେଣୁ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ମଇଳାଗୁଡ଼ିକୁ ନଦୀରୁ ବାହାର କରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଏନେଇ ଭଞ୍ଜନଗର ଜଳସମ୍ପଦ ବିଭାଗ ଭାରପ୍ରାପ୍ତ ନିର୍ବାହୀଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କାଶତଣ୍ଡୀ ଗଛ ପାଇଁ ନଦୀର ଯେଉଁଠି ମଇଳା ଅଟକି ରହିଛି ତାହାକୁ ବାହାର କରିବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ। ବର୍ଷାଜଳ ଆସିଲେ ହିଁ ତାହା ଭାସି ଯାଇଥାଏ। ଆଗାମୀ ଦିନରେ ଏନେଇ ଆବଶ୍ୟକତା ପଡ଼ିଲେ ନଦୀରୁ ଉକ୍ତ ମଇଳା ବାହାର କରିବା ପାଇଁ ପଦକ୍ଷେପ ନିଆଯିବ।