କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି ଉପରେ ରହିଥିବା ଜରିମାନା ଭରୁଛନ୍ତି। ଏପରିସ୍ଥଳେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଓ ସରକାରୀ ଗାଡ଼ି ପାଇଁ ଭିନ୍ନ ନିୟମ ଦେଖିବାକୁ ମିଳିଛି।
ଏହାକୁ ନେଇ ଆଞ୍ଚଳିକ ପରିବହନ ବିଭାଗର ସ୍ୱଚ୍ଛ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ଥିବା ଗାଡ଼ି ଏବଂ ପୋଲିସ ଭ୍ୟାନ୍ର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ହେଉ ନ ଥିବାବେଳେ ସରକାରୀ କାଗଜପତ୍ର ଠିକ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
କାକଟପୁର ଥାନାରେ ସରକାରୀ ଗାଡ଼ି(ଓଡି ୦୫ଜି ୯୬୬୩)ର ବୀମା ନ ଥିବା ଏବଂ ପ୍ରଦୂଷଣ ସାର୍ଟିଫିକେଟ ଭାଲିଡିଟି ୦୪ ମେ ୨୦୨୦ରୁ ଶେଷ ହୋଇଯାଇଛି। ସେହିଭଳି ଅସ୍ତରଙ୍ଗ ଥାନା ଗାଡ଼ି (ଓଡି ୦୫ଜି ୭୬୭୩)ର ପ୍ରଦୂଷଣ ଭାଲିଡିଟି ୧୫ ଫେବୃଆରୀ ୨୦୨୪ରୁ ଶେଷ ହୋଇସାରିଛି। ତେବେ ଗାଡ଼ି ଦୁଇଟି ଚଳାଚଳ କରୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନଜର ପଡୁନାହିଁ।
କେବଳ ଏହି ୨ଟି ଗାଡ଼ି ନୁହେଁ, ବ୍ଲକ ଅଞ୍ଚଳର ଅନେକ ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ, ବୀମା ନ ଥିବା ଦେଖାଯାଇଛି। ଏବେ ବି ଅନେକ ଗାଡ଼ିରେ ଜାଣିଶୁଣି କାଗଜପତ୍ର ଠିକ କରାଯାଇନାହିଁ। ସରକାରୀ କାର୍ଯ୍ୟରେ ବ୍ୟବହୃତ କୌଣସି ଗାଡ଼ିକୁ ଆଞ୍ଚଳିକ ପରିବହନ କିମ୍ୱା ପୋଲିସ ବିଭାଗ ଜରିମାନା କରିବା ନଜରକୁ ଆସୁନାହିଁ। ଜିଲାପାଳ ଏବଂ ଏସ୍ପି ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଏ ନେଇ ସମ୍ପୃକ୍ତ ଦୁଇଟି ଥାନାର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।