୨ ମାସରୁ ଊର୍ଦ୍ଧ୍ୱ ହେବ ଏଟିଏମ୍‌ରେ ନାହିଁ ଟଙ୍କା, ଗ୍ରାହକ ହନ୍ତସନ୍ତ

ଥୁଆମୂଳ ରାମପୁର,୧ା୩(ଦୁର୍ଗାକୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ଥିବା ଗୋଟିଏ ମାତ୍ର ସାହା ଭରସା ସାଜିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଏଟିଏମ୍‌ ଗତ ୨ମାସ ରୁ ଊର୍ଦ୍ଧ୍ୱ ହେଲା ଅଚଳ ହୋଇପଡ଼ିଛି। ଏମିତି କି ମାସ ମାସ ଧରି ଏଟିଏମ୍‌କାଉଣ୍ଟରରେ ଶଟର୍‌ ପଡିଛି। ସରକାର ଭାରତରେ କ୍ୟାଶଲେସ୍‌ କାରବାରକୁ ପ୍ରୋତ୍ସାହନ ଦେଉଥିବା ବେଳେ ଲୋକେ ଆଉ ଆଗଭଳି ପକେଟରେ ଅଧିକ ଟଙ୍କା ରଖୁନାହାନ୍ତି। ଆବଶ୍ୟକ ଅନୁସାରେ ଏଟିଏମ ଉପରେ ନିର୍ଭରଶୀଳ ହେଉଛନ୍ତି। ହେଲେ ଏହି ଅଞ୍ଚଳରେ ଥିବା ଏଟିଏମ ଗତ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ରହିବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାହକ ଅନେକ ଅସୁବିଧା ଭୋଗୁଛନ୍ତି । ଏନେଇ ଅନେକ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାର ପରେ ମଧ୍ୟ ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ଲୋକଙ୍କ ମନରେ ଏକ ପ୍ରକାର ଖ୍ୟୋବ ଦେଖାଦେଇଛି l ଅଧିକାଂଶ ସମୟରେ ଅନ୍ୟ ଅଞ୍ଚଳଗୁଡ଼ିକର ଦୋକାନ ବଜାରରେ ଅନ୍‌ଲାଇନ୍‌ କାରବାର ହେଉଛି ଏହା ସତ। ହେଲେ ଏହି ଦୁର୍ଗମ ଅଞ୍ଚଳରେ ଏହା ସମ୍ଭବ ନୁହେଁ l ଏମିତି କି ଲୋକେ ସକାଳୁ ପରିବା ପାଇଁ ବଜାରକୁ ଗଲେ ଗାଁରୁ ଆସି ପସରା ବସାଉଥବା ଛୋଟ ବ୍ୟବସାୟୀଙ୍କ ପାଖରେ ସେ ବ୍ୟବସ୍ଥା ନାହିଁ। ତେଣୁ ଗ୍ରାହକ ପନିପରିବା କିଣିବା ପରେ ପାଖରେ ନଗଦ ଟଙ୍କା ନ ଥିବାରୁ କିଣିଥିବା ସମାଗ୍ରୀ ଫେରାଇବା ଭଳି ସ୍ଥିତି ଉପୁଜୁଛି। ଯେଉଁ ଦୋକାନରେ ଅନଲାଇନ ଲେଣ ଦେଣ ପାଇଁ ସୁବିଧା ଅଛି ତୋ ଲୋକେ ସାମଗ୍ରୀ କିଣୁଛନ୍ତି ନହେଲେ ନାହିଁ l ଏହି ପରିସ୍ଥିତିରେ ଏସ୍ବିଆଇ ଗ୍ରାହକ ବାଧ୍ୟ ହୋଇ କେଉଁ ଗ୍ରାହକ ସେବା କେନ୍ଦ୍ରରେ ଯାଇ ଧାଡ଼ି ବାନ୍ଧିଛନ୍ତି ତ ଅନ୍ୟ ଆଖପାଖ ବ୍ଲକ ତଥା ସହରରେ ଥିବା ଏଟିଏମକୁ ଯାଇ ଟଙ୍କା ଉଠାଣ କରୁଛନ୍ତି। ଏପରି ସ୍ଥଳେ ଥୁଆମୂଳ ରାମପୁର ସଦର ମହକୁମା ସ୍ଥିତ ଆଇଟିଡିଏ ମାର୍କେଟ କମ୍ପ୍ଲେକ୍ସରେ ଆକ୍ସିସ ବ୍ୟାଙ୍କ ଭବାନୀପାଟଣା ଶାଖା ପକ୍ଷରୁ ଏକ ଏଟିଏମ ସ୍ଥାପନ କରାଯାଇଛି ସତ ହେଲେ ପ୍ରାୟ ସମୟ ଏହି ଏଟିଏମରେ ମଧ୍ୟ ନିୟମିତ ଟଙ୍କା ରହୁନାହିଁ। ବେଳେବେଳେ କାଉଣ୍ଟରରେ ଶଟର୍‌ ପଡ଼ି ରହୁଛି ତ ବେଳେବେଳେ ଏଟିଏମ କାଉଣ୍ଟର ଖୋଲା ଥାଇ ଟଙ୍କା ରହୁ ନାହିଁ, ଏମିତି କି ଏଣେ ତେଣେ ଗୋରୁ ମଳତ୍ୟାଗ କରି ଉକ୍ତ ପରିବେଶକୁ ଦୂଷିତ କରୁଛନ୍ତି।  ଏଠାରେ ରକ୍ଷଣାବେକ୍ଷଣ କିମ୍ବା କୌଣସି ସୁରକ୍ଷା କର୍ମଚାରୀ ନାହାନ୍ତି। ଯାହା ଫଳରେ ଲୋକେ ଅନେକ ସମୟରେ ହଇରାଣ ହେଉଥିବା ଜଣାପଡେ। ଏପରିସ୍ଥଳେ ଏସବିଆଇ ଏଟିଏମ ସଂପର୍କରେ ଥୁଆମୂଳ ରାମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜୟ କୃଷ୍ଣ ମେହେରଙ୍କୁ ପଚାରିଲେ ଆମ ପୁରୁଣା ଏଟିଏମ ବକ୍ସରେ ଯାହା ଅତ୍ୟାଧୁନିକ ଯନ୍ତ୍ରପାତି କିମ୍ବା ନୂତନ ଏଟିଏମ ବକ୍ସ ଲାଗିବା କଥା ଲାଗିଯାଇଛି ଶୀଘ୍ର ଲୋକଙ୍କୁ ଆଗ ଭଳି ସେବା ଯୋଗାଇ ଦିଆଯିବ ବୋଲି ପ୍ରତିକ୍ରିୟାରେ କହୁଛନ୍ତି।