ଘରେ ନାହିଁ ବିଦ୍ୟୁତ୍‌ ସଂଯୋଗ, ବିଲ୍‌ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା

ମୋହନା,୭।୮(ମନ୍ମଥ ମିଶ୍ର): ଘରେ ହୋଇ ନାହିଁ ବିଦ୍ୟୁତ୍‌ ସଂଯୋଗ। ହେଲେ ବିଲ୍‌ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା। ଏଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ବ୍ଲକ ଢେପାଗୁଡ଼ା ପଞ୍ଚାୟତ ଗୋଠକେଳି ଗାଁରୁ। ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ଗତ ପ୍ରାୟ ୧୫ ବର୍ଷ ତଳେ ମତ୍ୟୁ ଘଟିଥିବା ବେଳେ ଘରେ ଅନ୍ଧୁଣି ମା’ ଓ ପୁଅ ରହୁଛନ୍ତି l

ଅନ୍ୟପକ୍ଷେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ବେଳେ ମୃତ ସୁରେନ୍ଦ୍ର ମଲ୍ଲିକଙ୍କ ନାମରେ ୨୦୨୧ ଅକ୍ଟୋବର ମାସର ୧୦ ହଜାର ୪ ଶହ ୭୦ ଟଙ୍କା ବକେୟା ବିଲ୍‌ ଆସିଛି। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମା’ପୁଅଙ୍କୁ ଆବାସ ଯୋଜନାରେ ଘର ଖଣ୍ଡ ମିଳିଛି। ହେଲେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଏଭଳିସ୍ଥିତିରେ ବାରମ୍ବାର ବିଦ୍ୟୁତ୍‌ କର୍ମଚାରୀ ଘରେ ପହଞ୍ଚି ବକେୟା ବିଲ ପଇଠ କରିବାକୁ କହୁଛନ୍ତି। ଘରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ବେଳେ କିଭଳି ବିଲ୍‌ ପୈଠ କରିବୁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏ ନେଇ ଚନ୍ଦ୍ରଗିରି ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ୨୦୦୯ରେ କୁଟୀର ଜ୍ୟୋତି ଯୋଜନାରେ ସୁରେନ୍ଦ୍ର ମଲ୍ଲିକଙ୍କ ନାମରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ରେକର୍ଡରେ ଉଲ୍ଲେଖ ରହିଛି l ଯଦି ବିନା ମିଟର ଓ ବିନା ବିଦ୍ୟୁତ୍‌ ସଂଯୋଗ ଦ୍ୱାରା ବିଲ ଆସିଛି, ତେବେ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଏପରିକି ଘରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share