ବେଙ୍ଗାଲୁରୁ,୨୯।୧୧: କର୍ନାଟକରେ ଶାସକ କଂଗ୍ରେସ ଦଳ ମଧ୍ୟରେ ସର୍ବୋଚ୍ଚ ସରକାରୀ ପଦବୀ ପାଇଁ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମାଧାନ ପାଇଁ କସରତ ଚାଲିଛି। ହାଇକମାଣ୍ଡଙ୍କ ସମ୍ମତି ପରେ, ରାଜ୍ୟର ଦୁଇ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ଏକାଠି ଜଳଖିଆ କରିଥିଲେ। କୁହାଯାଉଛି ଯେ, ଶିବକୁମାର ଜଳଖିଆ ସମୟରେ ଦିଲ୍ଲୀରେ ଦିଆଯାଇଥିବା ପ୍ରତିଶ୍ରୁତି ସିଦ୍ଧରମୈୟାଙ୍କୁ ମନେ ପକାଇ ପାରନ୍ତି। ଏହି ବୈଠକ ପରେ ଶିବକୁମାର ଦିଲ୍ଲୀ ଯିବେ ବୋଲି ମଧ୍ୟ ଅନୁମାନ କରାଯାଉଛି।
ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧରମୈୟା କହିଛନ୍ତି, ଆମର ଏକ ଭଲ ଆଲୋଚନା ହୋଇଛି। ଆମ ମଧ୍ୟରେ କୌଣସି ମତଭେଦ ନାହିଁ। ଭବିଷ୍ୟତରେ ଆମ ମଧ୍ୟରେ କୌଣସି ମତଭେଦ ରହିବ ନାହିଁ। କୌଣସି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଆମେ ସାକ୍ଷାତ କରିଥିଲୁ। ଆମେ ବିରୋଧୀଙ୍କୁ ଦୃଢ଼ ଭାବରେ ସାମ୍ନା କରିବୁ। ସେ ୨୦୨୮ ନିର୍ବାଚନ ପ୍ରଚାର ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ସିଦ୍ଧରମୈୟାଙ୍କୁ ଭେଟିବା ପରେ, ଶିବକୁମାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି, ଆଜି ସକାଳେ ମୁଁ କାବେରୀ ବାସଭବନରେ ଜଳଖିଆ ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟିଥିଲି। କର୍ନାଟକର ପ୍ରାଥମିକତା ଏବଂ ଆଗକୁ ବଢ଼ିବାର ରାସ୍ତା ବିଷୟରେ ଆମର ଭଲ ଆଲୋଚନା ହୋଇଥିଲା। ସିଦ୍ଧରମୈୟା ମଧ୍ୟ ସୋସିଆଲ ମିଡିଆରେ ବୈଠକର ଏକ ଫଟୋ ଶେୟାର କରିଛନ୍ତି। ଉଭୟ ପ୍ରାୟ ଗୋଟିଏ ଘଣ୍ଟା ଧରି ସାକ୍ଷାତ କରିଥିଲେ।
Dharitri – Odisha’s No.1 Odia Daily


