ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ସମିତିର ଅଧ୍ୟକ୍ଷ ତଥା ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ବୈଠକରେ ଯୋଗଦେଇଥିବା ଅତିଥିଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ଏଥିସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ପରେ ବିପିଏମ୍ ଶାନ୍ତନୁ କୁମାର ସାହୁ ଗତ ୨୦୨୩ ଜୁଲାଇ ୨୩ରେ ଶେଷଥର ପାଇଁ ଏହି ବୈଠକ ହୋଇଥିଲା ଓ ସେହି ସମୟରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟରେ ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲେ ମଧ୍ୟ ଏବେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ମାଳମାଳ ସମସ୍ୟା ରହିଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ପୂର୍ବ ସରକାର ସମୟରେ ୫ଟି ଯୋଜନାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କରାଯାଇଛି କିନ୍ତୁ ଯେଉଁ ସବୁ ସ୍ବାସ୍ଥ୍ୟକେନ୍ଦ୍ରର କୋଠାଗୁଡ଼ିକ ରୂପାନ୍ତର ହୋଇଛି ତାହା ନିମ୍ନମାନର କାର୍ଯ୍ୟ ହୋଇଛି। ଯାହାକି ବର୍ଷାରେ କୋଠାଗୁଡ଼ିକରୁ ବର୍ଷା ପାଣି ଗଳୁଛି ଓ ସିଲିଂଗୁଡ଼ିକ ଖସି ପଡୁଥିବାବେଳେ କବାଟଗୁଡ଼ିକ ଅତି ନିମ୍ନମାନର ଯୋଗୁ ପୁନଃ ମରାମତିର ଆବଶ୍ୟକ ପଡୁଛି। ତାକୁ କିଭଳି ପୁନଃ ମରାମତି କରାଯିବ ଓ ସେଥିପାଇଁ ଅନୁଦାନ ସମ୍ପର୍କରେ ଆଲୋଚନା କରାଯାଇଛି।
ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଗୋଷ୍ଠୀ ଶୌଚାଳୟ ରହିଛି। ତାକୁ ରକ୍ଷଣାବେକ୍ଷଣ କରିବା ପାଇଁ କର୍ମଚାରୀ ଅଭାବ ଯୋଗୁ ଶୌଚାଳୟରେ ତାଲା ଝୁଲୁଥିବା କୁହାଯାଇଥିଲା। ସେହିପରି ଓଭେରହେଡ଼ ଟ୍ୟାଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରକୁ ଜଳ ଯୋଗାଣ ବ୍ୟବସ୍ଥା ରହିଥିଲେ ମଧ୍ୟ ଉକ୍ତ ଟ୍ୟାଙ୍କଟି ଅଚଳ ଯୋଗୁ ଜଳ ସମସ୍ୟା ରହିଥିବା କୁହାଯାଇଥିଲା। ବିଦ୍ୟୁତ ବିଭ୍ରାଟ, ଜେନେନେଟର, ସୋଲାର ଆଲୁଅ ବ୍ୟବସ୍ଥା, ସିସି କ୍ୟାମେରା ମରାମତି ଭଳି ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ତଥା ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ଓ ଅନ୍ୟ ଅଧିକାରୀ ଏବଂ ସମିତିର ସଦସ୍ୟମାନେ ଉପସ୍ଥିତ ରହିଥିଲେ।


